ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭାର ଶୀତକାଳୀନ ଅଧିବେଶନରେ ଭିଡ଼ିଓ କନଫରେନ୍ସ ଜରିଆରେ ବିଧାୟକମାନେ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ବିଜେପିର ଜୋରଦାର ବିରୋଧ । ଏନେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବିଧାନସଭାକୁ ମୁଖ୍ୟମନ୍ତ୍ରୀଙ୍କ ଡର କାହିଁକି ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି ।ମୁଖ୍ୟମନ୍ତ୍ରୀ ବିଦେଶକୁ ଯାଉଛନ୍ତି ବାହାରେ ବୁଲୁଛନ୍ତି କିନ୍ତୁ ବିଧାନସଭାକୁ କାହିଁକି ଆସିବେ ନାହିଁ । ଓଡ଼ିଆ ଲୋକଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଏତେ ଘୃଣା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ ମିଶ୍ର । ଗୃହର ନେତା ହୋଇ ମୁଖ୍ୟମନ୍ତ୍ରୀ ଗୃହକୁ ଆସିବେ ନାହିଁ, କିନ୍ତୁ ବିଦେଶରେ ଯାଇ ବୁଲି ପାରିବେ ଏଥିରୁ ଓଡ଼ିଆ ଲୋକଙ୍କ ପ୍ରତି ଥିବା ତାଙ୍କର ଘୃଣା ସ୍ପଷ୍ଟ ବାରି ହୋଇପଡ଼ୁଛି ବୋଲି ସେ କହିଛନ୍ତି।
ଦେଶର କୌଣସି ବିଧାନସଭାରେ ଏହି ଭିଡିଓ କନଫରେନ୍ସରେ ଭାଗନେବା ବ୍ୟବସ୍ଥା ନାହିଁ । ଓଡ଼ିଶା ବିଧାନସଭାରେ କେବଳ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ବିଧାନସଭା ସରକାରଙ୍କ ଗୋଡ଼ାଣିଆ ହୋଇଯାଉଛି। ସର୍ବଦଳୀୟ ବୈଠକକୁ ଏକ ଔପଚାରିକ ବୈଠକ କରିଦିଆଯାଇଛି। କେବଳ ବିରୋଧୀ ଦଳ ମାନଙ୍କୁ ଡକା ଯାଉଛି କିନ୍ତୁ କୌଣସି ପ୍ରସ୍ତାବ ଗ୍ରହଣ କରାଯାଉନାହିଁ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସୁହାଇବା ଭଳି ନିଷ୍ପତ୍ତି ନିଆଯାଉଛି । ଯାହା ଦୁଃଖ ଦାୟକ ।
ଏହାସହିତ ଆସନ୍ତାକାଲି ଦିନ ୧୧ଟା ବେଳେ ବସିବ ବିଜେପିର ବିଧାୟକ ଦଳ ବୈଠକ । ଏହି ବୈଠକରେ ବିଧାନସଭା ଅଧିବେଶନ ପାଇଁ ଦଳ ରଣନୀତି ପ୍ରସ୍ତୁତ କରିବ। ବିଧାନସଭାରେ ଚାଷୀ, ଆଇନଶୃଙ୍ଖଳା ଓ ଅର୍ଚ୍ଚନା ଭଳି ପ୍ରସଙ୍ଗକୁ ପ୍ରମୁଖ ମୁଦ୍ଦା କରିବା ପାଇଁ ଆସନ୍ତାକାଲି ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।
ସୂଚନାଯୋଗ୍ୟ ଯେ, ବିଧାନସଭା ଅଧିବେଶନ ସୁପରିଚାଳନା ନେଇ ଗତକାଲି ସର୍ବଦଳୀୟ ବୈଠକ ବସିଥିଲା । ବାଚସ୍ପତି ବିକ୍ରମ ଆରୁଖଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଧାନସଭାରେ ପୂର୍ବରୁ ଲାଗିଥିବା କୋଭିଡ କଟକଣା ହଟାଯାଇଛି। ତେଣୁ ସ୍ୱାଭାବିକ ଭାବେ ଚାଲିବ ଗୃହ। ବିଧାୟକ ନିଜ ନିଜ ଆସନରେ ବସି ଅଧିବେଶନରେ ଭାଗ ନେବେ। ଲିଖିତ ଭାବେ ଜଣାଇଲେ ଭିଡିଓ କନଫରେନ୍ସରେ ଭାଗ ନେଇପାରିବେ। ପ୍ରେସ୍ ଗ୍ୟାଲେରୀ ଯିବାକୁ ମିଡିଆ ପ୍ରତିନିଧିଙ୍କୁ ଅନୁମତି ମିଳିବ। ସକାଳ ୧୦ଟାରୁ ଅପରାହ୍ନ ସାଢ଼େ ୧ଟା ଓ ଅପରାହ୍ନ ୪ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଗୃହ ଚାଲିବ ବୋଲି ସୂଚନା ଦିଆଯାଇଛି। ତେବେ ଭିଡିଓ କନଫରେନ୍ସରେ ଭାଗ ନେବା ନିଷ୍ପତ୍ତି କୁ ବିଜେପି ବିରୋଧ କରିଛି।
