ଲୋକମାନେ ରାଜ୍ୟ ସରକାରଙ୍କ ସତ ଜାଣିସାରିଲେଣି, ପଦ୍ମପୁରବାସୀ ଏହାର ଉଚିତ ଜବାବ ଦେବେ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ଗୋଟିଏ ପଟେ ରାଜନୀତି ସରଗରମ ଥିବା ବେଳେ ଭୁବନେଶ୍ୱରୁ ଶାସକ ବିଜେଡିକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଧର୍ମେନ୍ଦ୍ର ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟରେ ୨୨ ବର୍ଷ ଧରି ଆଞ୍ଚଳିକ ଦଳର ସରକାର ଅଛି । ବର୍ତମାନ ଲୋକେ ଏହି ସରକାରର ସତ ଜାଣି ସାରିଲେଣି। ଲୋକଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଭ୍ରମିତ କରି କିମ୍ବା ଅନ୍ଧାରରେ ରଖାଯାଇ ପାରିବ ନାହିଁ । ଧୀରେ ଧୀରେ ଲୋକ ସତ ଜାଣିବା ଆରମ୍ଭ କଲେଣି । ମିଛକୁ ବାରମ୍ବାର କହିଲେ ତାହା ସତ ହୁଏନି।

ପଦ୍ମପୁର ଉପନିର୍ବାଚନ ସମୟରେ ରାଜ୍ୟ ସରକାରଙ୍କ ଇନପୁଟ ସବସିଡି ଘୋଷଣାକୁ ନେଇ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ଯେ, ଜିଲ୍ଲାପାଳ ମାନେ ରିପୋର୍ଟ ଦେଲା ପରେ କେତେ ଚାଷୀଙ୍କୁ ଇନପୁଟ ସବସିଡି ଦିଆଯାଇଛି, ରାଜ୍ୟରେ କେବେ ମରୁଡି ଘୋଷଣା ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ବରଗଡ଼ ଜିଲ୍ଲା ପାଇଁ ରାଜ୍ୟ ସରକାର ଯେଉଁ ସୁଆଙ୍ଗ ରଚିଛନ୍ତି, ପଦ୍ମପୁରର ୩ଟି ବ୍ଲକରୁ ଜଣେ ବି ଚାଷୀଙ୍କ ନାଁ ଯଦି ଚିହ୍ନଟ କରିଛନ୍ତି ଦେଖନ୍ତୁ। କେବେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଇସା ପଠାଇଲେ ପ୍ରମାଣ ଦେଖାନ୍ତୁ । ମିଛ କହିବାର ଗୋଟିଏ ସୀମା ଅଛି । ଫସଲ ବୀମାରେ ନିଜର ଅପାରଗତା କାରଣରୁ ଓଡିଶାର ଚାଷୀଙ୍କୁ ସେଥିରୁ ଲମ୍ବା ସମୟ ପର୍ଯ୍ୟନ୍ତ ବଞ୍ଚିତ ରଖୁଛନ୍ତି । ବରଗଡ଼ ଜିଲ୍ଲାକୁ ନେଇ ବିଭିନ୍ନ କଥାକୁ ନେଇ ବିଭିନ୍ନ ସମୟରେ ଭେଳିକି ଦେଖାଇଥିଲେ । ଲୋକ ମାନେ ତାତିବା ସହ ଆନ୍ଦୋଳନ କରିବାରୁ ମିଛି ମିଛିକା ପ୍ରତିଶୃତି ଦେଇଛନ୍ତି ରାଜ୍ୟ ସରକାର ।

ସେହିଭଳି ସ୍ୱାସ୍ଥ୍ୟ ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ର କହିଛନ୍ତି ଯେ, ପାଇକମାଳରେ ସ୍ବାସ୍ଥ୍ୟମନ୍ତ୍ରୀ ପଇସା ମୁଣି ଧରି ବୁଲୁଛନ୍ତି କିନ୍ତୁ ଲୋକ ମାନଙ୍କ ଚିକିତ୍ସା ପାଇଁ ତାଙ୍କର ଦାୟିତ୍ୱ ନାହିଁ । ରେଳ ଲାଇନ ଉପରେ କେନ୍ଦ୍ର ରେଳ ମନ୍ତ୍ରୀ ସ୍ପଷ୍ଟ ଉତ୍ତର ରଖିଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ପ୍ରସଙ୍ଗ ନାହିଁ, ପ୍ରସଙ୍ଗରେ ଘେରି ହୋଇଯାଉଛନ୍ତି । ବରଗଡ଼ରେ ଧାନ କିଣା ଏକ ବଡ଼ ପ୍ରସଙ୍ଗ,ଧାନ କିଣା ଯାଇପାରୁନାହିଁ । ଫସଲ ବୀମା ପ୍ରତି ସରକାରଙ୍କ ଅପାରଗତା । ଇନପୁଟ ସବସିଡି ଦିଆଯାଇପାରି ନାହିଁ, ଯୁବକ ମାନେ ଦାଦନ ଖଟିବାକୁ ଯାଉଛନ୍ତି । ଏଗୁଡିକ ହିଁ ଏବେ ପଦ୍ମପୁରରେ ନିର୍ବାଚନ ପ୍ରସଙ୍ଗ । ଶାସକ ଦଳ କେବଳ ସରକାରୀ ବଳ, ଧନ ବଳରେ ନିର୍ବାଚନ ଲଢୁଛନ୍ତି । ପଦ୍ମପୁର ମାଟି ଏକ ସ୍ୱାଭିମାନୀ ଓ ସଂଗ୍ରାମୀ ମାଟି । ସେ ମାଟିରେ ପ୍ରବଞ୍ଚନା ଲମ୍ବା ସମୟ ଧରି ଚାଲିବ ନାହିଁ । ଲୋକ ଉଚିତ ଜବାବ ଦେବେ ।

ଧାମନଗର ଓ ପଦ୍ମପୁରରେ ନିର୍ବାଚନ ପ୍ରସଙ୍ଗ ଭିନ୍ନ ଭିନ୍ନ ରହିଛି । ୨୨ ବର୍ଷର ହାକିମାତି ବିରୋଧରେ ପଦ୍ମପୁରବାସୀ ମତ ଦେବେ । ୨୨ ବର୍ଷ ଧରି ସରକାରରେ ଅଛନ୍ତି । ଆଉ ଏବେ ବିଶ୍ୱସନୀୟତା ହରାଇ ସାରିଲେଣି । ଏଥର ୨୨ ବର୍ଷର ଶାସନ ବିରୋଧରେ ଲୋକେ ନିର୍ବାଚନ ଲଢୁଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

Related Posts