ଦେଶର ୧୨ଟି ହାଇକୋର୍ଟରେ ନିଯୁକ୍ତି ପାଇଁ ରେକର୍ଡ ୬୮ ଜଣ ବିଚାରପତିଙ୍କ ନାଁ ସୁପାରିଶ କଲେ କଲେଜିୟମ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶର ୧୨ଟି ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦଗୁଡ଼ିକ ପାଇଁ ୬୮ ଜଣଙ୍କ ନାଁ ଉପରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ସିଜେଆଇ ଏନ୍‌.ଭି. ରମନାଙ୍କ ନେତୃତ୍ବାଧୀନ ତିନି ସଦସ୍ୟ ବିଶିଷ୍ଟ ‘ସୁପ୍ରିମ୍‌ କୋର୍ଟ କଲିଜିୟମ୍‌’ ୬୮ଜଣଙ୍କ ନାମ ସୁପାରିସ କରିଛି। ସିଜେଆଇଙ୍କ ନେତୃତ୍ୱାଧୀନ କଲେଜିୟମରେ ଥିବା ଅନ୍ୟ ଦୁଇଜଣ ବିଚାରପତି ହେଉଛନ୍ତି, ୟୁ. ୟୁ. ଲଳିତ ଏବଂ ଏ. ଏମ୍‌. ଖାନ୍‌ୱିଲ୍‌କର୍।

ତେବେ ଏକାଧିକ ହାଇକୋର୍ଟରେ ୫୦%ରୁ ଅଧିକ ବିଚାରପତି ପଦ ଖାଲି ପଡ଼ିଥିବା କାରଣରୁ କଲେଜିୟମ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ଏହି ୬୮ ଜଣଙ୍କ ମଧ୍ୟରେ ୪୪ ଜଣ ଆଇନଜୀବୀ ରହିଛନ୍ତି। ଆହ୍ଲାବାଦ, ରାଜସ୍ଥାନ, ପଶ୍ଚିମବଙ୍ଗ, ଝାରଖଣ୍ଡ, ଜମ୍ମୁ-କଶ୍ମୀର, ତାମିଲନାଡୁ, ମଧ୍ୟପ୍ରଦେଶ, କର୍ଣ୍ଣାଟକା, ପଞ୍ଜାବ ଓ ହରିଆଣା, କେରଳ, ଛତିଶଗଡ଼ ଓ ଆସାମ ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦଗୁଡ଼ିକରେ ଏମାନେ ନିଯୁକ୍ତି ପାଇବେ।

ଏଥିନିମନ୍ତେ ଅଗଷ୍ଟ ୨୫ ରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ଅନୁଷ୍ଠିତ ବୈଠକରେ ‘ବାର୍‌’ରୁ ୮୨ଜଣ ଏବଂ ‘ଜୁଡିସିଆଲ୍‌ ସର୍ଭିସ୍‌’ରୁ ୩୧ଜଣଙ୍କ ମଧ୍ୟରୁ ‘କଲିଜିୟମ୍‌’ ସମୁଦାୟ ୧୧୨ଜଣଙ୍କ ନାମ ବିଚାରକୁ ନିଆଯାଇଥିଲା। ୬୮ ଜଣଙ୍କ ମଧ୍ୟରୁ ୪୪ ଜଣ ଓକିଲ ଭାବେ କାର୍ଯ୍ୟ କରୁଥିବା ବେଳେ ୨୪ ଜଣ ଜିଲ୍ଲା ଜଜ୍‌ ରାଙ୍କର ବରିଷ୍ଠ ଜୁଡିସିଆଲ ଅଫିସର। ବର୍ତ୍ତମାନ ଦେଶର ବିଭିନ୍ନ ହାଇକୋର୍ଟରେ ୬୦ ଲକ୍ଷରୁ ଅଧିକ କେସ୍‌ ପେଣ୍ଡିଂ ହୋଇ ରହିଛି।

ହାଇକୋର୍ଟର ବିଚାରପତି ପଦସଂଖ୍ୟା ୧୦୮୯ ହୋଇଥିବା ବେଳେ ଏବେ ପ୍ରାୟ ୪୩% ଅର୍ଥାତ ୪୬୫ଟି ପଦ ଖାଲି ପଡ଼ିଛି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ‘କଲିଜିୟମ୍‌’ ବୈଠକରେ ବିଚାରାଧୀନ ଥିବା ଆହୁରି ୧୬ଜଣ ବିଚାରପତିଙ୍କ ସମ୍ବନ୍ଧରେ ଅଧିକ ବିବରଣୀ ମଗାଯାଇଛି।

Related Posts