ଟୋକିଓ ପାରାଲିମ୍ପିକ୍ସ : ଭାରତକୁ ଶୁଟିଂରେ ଡବଲ ମେଡାଲ, ମନୀଷଙ୍କୁ ସ୍ୱର୍ଣ୍ଣ , ସିଂହରାଜଙ୍କୁ ରୌପ୍ୟ ହାସଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ପ୍ରଥମ ଦିନରୁ ଚମତ୍କାର ପ୍ରଦର୍ଶନ କରି ଆସୁଛି। ଆଜି ପୁଣି ଥରେ ଏକାଦଶତମ ଦିବସରେ ଶୁଟିଂରେ ଭାରତକୁ ଦୁଇଟି ପଦକ ମିଳିଛି। ଭାରତକୁ ଆଉ ୨ଟି ପଦକ ହାସଲ ହୋଇଛି । ଭାରତୀୟ ଶୁଟର ମନୀଷ ନରୱାଲ ବିଶ୍ୱ ପାରାଲିମ୍ପିକ୍ସ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ସିଂହରାଜ ରୌପ୍ୟ ପଦକ ଜିତିଛନ୍ତି। ୫୦ ମିଟର ପିସ୍ତଲ ଏସଏଚ୍-୧ରେ ଉଭୟ ପଦକ ଜିତିଛନ୍ତି । ୩ଟି ସ୍ଵର୍ଣ୍ଣକୁ ମିଶାଇ ଭାରତର ପଦକ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । 

ଅନ୍ୟପକ୍ଷରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଓ ସୁହାସ ୟାଥିରାଜ ଫାଇନାଲରେ ପ୍ରବେଶ କରି ମେଡାଲ ପକ୍କା କରିଛନ୍ତି। ଏହାପୂର୍ବରୁ ସିଂହରାଜ ମଙ୍ଗଳବାର ଦିନ ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ ଏସଏଫ୍-୧ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ମନୀଷ ଚଳିତ ଅଲିମ୍ପିକ୍ସରେ ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହାପୂର୍ବରୁ ଭାରତ ପାଇଁ ଶୁଟିଂରେ ଅବନୀ ଓ ଜାଭେଲିନ ଥ୍ରୋରେ ସୁମିତ ଅନ୍ତିଲ ସ୍ୱର୍ଣ୍ଣ ପଦକ ଜିତିଥିଲେ । 

ଆଜିର ଫାଇନାଲ ମୁକାବିଲାରେ ମନୀଷ ପାରାଲିମ୍ପିକ୍ସ ସବୁ ପୁରୁଣା ରେକର୍ଡ ଭାଙ୍ଗି ୨୧୮.୨ ପଏଣ୍ଟ ହାସଲ କରିଛନ୍ତି। ଏଥିସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ସିଂହରାଜ ୨୧୬.୭ ପଏଣ୍ଟ ସ୍କୋର କରି ରୌପ୍ୟ ପଦକ ଜିତିଛନ୍ତି। ଉଭୟ ପାରା ସୁଟର ହେଉଛନ୍ତି ଫରିଦାବାଦର । 

ସେହିପରି ଯୋଗ୍ୟତା ପର୍ଯ୍ୟାୟରେ ସିଂହରାଜ ୫୩୬ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଥିବାବେଳେ ମନୀଷ ନରୱାଲ ୫୩୩ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛନ୍ତି । ଏହା ସହିତ ୧୯ ବର୍ଷୀୟ ମନୀଷ ନରୱାଲ ଟୋକିଓ ପାରାଲିମ୍ପିକ୍ସରେ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୂର୍ବରୁ ଅବନୀ ଲାଖେରାଙ୍କୁ ଦୁଇଟି ପଦକ ମିଳିସାରିଛି ।

ସୂଚନାଯୋଗ୍ୟ, ଅବନୀ ମହିଳାଙ୍କ ୫୦ ମିଟର୍ ରାଇଫଲ୍-୩ ପୋଜିସନ୍ ଏସଏଚ୍-୧ରେ ବ୍ରୋଞ୍ଜ ପଦକ ଓ ଏହା ପୂର୍ବରୁ ସେ ମହିଳାଙ୍କ ଆର୍-୨ ବର୍ଗର ୧୦ ମିଟର୍ ଏୟାର୍ ରାଇଫଲ୍ କ୍ଲାସ୍ ଏସଏଚ୍-୧ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ।

Related Posts