ସମ୍ବିଧାନ ମୋତେ ଯେତେବେଳେ ଇଚ୍ଛା କରେ ମାଂସ ଖାଇବାକୁ ଅନୁମତି ଦିଏ; ନବରାତ୍ରିରେ ମାଂସ ଦୋକାନ ଉପରେ ନିଷେଧାଦେଶ ଉପରେ ଏଭଳି ପ୍ରତିକ୍ରିୟା ଦେଲେ ଟିଏମସି ସାଂସଦ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନବରାତ୍ରୀ ସମୟରେ ମାଂସ ଦୋକାନ ଉପରେ ଦକ୍ଷିଣ ଦିଲ୍ଲୀର ମେୟରଙ୍କ ବିବୃତ୍ତି କୁ ନେଇ ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ଅନେକ ନେତା ସମାଲୋଚନା କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହା ମଧ୍ୟରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରା ଏନେଇ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ତେବେ ନବରାତ୍ରୀ ସମୟରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ମାଂସ ଦୋକାନ ଉପରେ ହୋଇଥିବା ନିଷେଧାଦେଶକୁ ମହୁଆ ମୈତ୍ରା ଆଜି ସମାଲୋଚନା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ଦକ୍ଷିଣ ଦିଲ୍ଲୀରେ ରହେ। ସମ୍ବିଧାନ ମୋତେ ଯେତେବେଳେ ଇଚ୍ଛା କରେ ମାଂସ ଖାଇବାକୁ ଅନୁମତି ଦିଏ ଏବଂ ଦୋକାନୀଙ୍କୁ ତାଙ୍କ ବ୍ୟବସାୟ ଚଳାଇବାକୁ ସ୍ୱାଧୀନତା ଦିଏ । ସେପଟେ ନବରାତ୍ରୀ ସମୟରେ ମାଂସ ଦୋକାନ ଉପରେ ନିଷେଧାଦେଶ ଲାଗୁ କରାଯିବ ବୋଲି ଦକ୍ଷିଣ ଦିଲ୍ଲୀର ମେୟର ମୁକେଶ ସୁର‌୍ୟ୍ୟନ୍ କହିଛନ୍ତି। ତେବେ ଅଭିଯୋଗ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି ବୋଲି ଏବଂ ଏହା କାହାର ବ୍ୟକ୍ତିଗତ ସ୍ୱାଧୀନତାକୁ ଉଲ୍ଲଂଘନ କରୁନାହିଁ ବୋଲି ସେ ଦାବି କରିଛନ୍ତି।

ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ମେୟର ସୁର୍ଯ୍ୟନ୍ କହିଛନ୍ତି, “ଆମେ ସମସ୍ତ ମାଂସ ଦୋକାନକୁ ବନ୍ଦ କରିଦେବୁ। ଯେତେବେଳେ ମାଂସ ବିକ୍ରି ହେବ ନାହିଁ ତ ଲୋକମାନେ ଏହାକୁ ଖାଇବେ କେମିତି । ଦିଲ୍ଲୀବାସୀଙ୍କ ଭାବନାକୁ ଦୃଷ୍ଟିରେ ରଖି ଆମେ ଏହି ନିଷ୍ପତ୍ତି ନେଇଛୁ ବୋଲି ସୁର୍ଯ୍ୟନ କହିଛନ୍ତି। ଉପବାସ ପାଳନ କରୁଥିବାର ଲୋକମାନଙ୍କୁ ଖୋଲା ସ୍ଥାନରେ ମାଂସ କାଟିବା ଦ୍ୱାରା ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହା କାହାର ବ୍ୟକ୍ତିଗତ ସ୍ୱାଧୀନତାର ଉଲ୍ଲଂଘନ ନୁହେଁ। ସେ କହିଛନ୍ତି ଯେ ଏପ୍ରିଲ ୮, ୯, ୧୦ ରେ ଆମେ ସମସ୍ତ ମାଂସ ଦୋକାନକୁ ବନ୍ଦ କରିଦେବୁ ।

ଅନ୍ୟପଟେ ପୂର୍ବ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନର ମେୟର ଶ୍ୟାମ ସୁନ୍ଦର ଅଗ୍ରୱାଲ ମଧ୍ୟ ସମାନ ଦାବି କରି କହିଛନ୍ତି ଯେ ଉତ୍ସବରେ ମାଂସ ଦୋକାନ ବନ୍ଦ କରି ଆମେ ଖୁସି ହେବୁ। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଥିଲା । ଏପରିକି ଏନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଥିବାର ଦେଖିବାକୁ ମିଳିଛି । ଅନେକ ନେତା ମେୟରଙ୍କ ଏପରି ପଦକ୍ଷେପକୁ ସମାଲୋଚନା କରି ବୟାନବାଜି କରିବାରେ ଲାଗିଛନ୍ତି ।

Related Posts