କରୋନାକୁ ନେଇ ଚାଇନା ସ୍ଥିତି ଭୟଙ୍କର: ୨୪ ଘଣ୍ଟାରେ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

ବେଜିଂ: ମହାମାରୀ କରୋନାର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚାଇନା ଏବେ ଭୟଙ୍କର ସ୍ଥିତି ମଧ୍ୟରେ ଗତି କରୁଛି | କରୋନାର ଦୈନିକ ସଂକ୍ରମଣ ଏବେ ରେକର୍ଡ ଛୁଇଁଛି | ଗତ ୨୪ ଘଣ୍ଟାରେ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି।

ମହାମାରୀ ଆରମ୍ଭ ହେବା ଦିନଠାରୁ କେବେ ହେଲେ ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ହେଲେ ଏବେ ବିଶ୍ୱରେ ସଂକ୍ରମଣ ହ୍ରାସ ପାଇଥିବା ବେଳେ ଚାଇନାରେ ଏହା ବଢ଼ିବାରେ ଲାଗିଛି। ସବୁଠାରୁ ଅଧିକ ଖରାପ ସ୍ଥିତି ସଙ୍ଘାଇରେ ଦେଖିବାକୁ ମିଳିଛି। ସଂକ୍ରମଣ ଯୋଗୁ ଏଠାରେ ଲକାଉଡନ ଲାଗୁ କରାଯାଇଛି। ତଥାପି ସହରରେ ସଂକ୍ରମଣ ବଢ଼ିବାରେ ଲାଗିଛି। ସେହିପରି କରୋନା ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇ ଥିବା ଚାଇନାର ଏପରି ସ୍ଥିତି ସମସ୍ତଙ୍କୁ ବିଚଳିତ ମଧ୍ୟ କରିଛି। ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୮୦% ଲୋକ ସଙ୍ଘାଇରୁ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ କରୋନାର ହଟସ୍ପଟ ପାଲଟିଛି ସଙ୍ଘାଇ। ତେଣୁ ଏଠାରେ ଅଧିକରୁ ଅଧିକ ଟେଷ୍ଟିଂ ଓ କଡ଼ା କଟକଣା ଲାଗୁ କରାଯାଇଛି।

ମାର୍ଚ୍ଚ ମାସ ଯାଏ ଚାଇନାରେ ଦୈନିକ ସଂକ୍ରମଣ ବହୁତ କମ ରହିଥିଲା। ତଥାପି ବିଭିନ୍ନ ସ୍ଥାନରେ ଲକଡାଉନ, ସାମୁହିକ ଟେଷ୍ଟିଂ ଓ ଅନ୍ତର୍ଜାତୀୟ ଯାତ୍ରା ଉପରେ କଠୋର କଟକଣା ଲଗାଯାଇଥିଲା। ହେଲେ ଏବେ ପ୍ରାୟ ଗୋଟିଏ ସପ୍ତାହ ହେଲାଣି ହଜାର ହଜାର ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ସେହିପରି ଅଧିକାରୀମାନେ ସଙ୍ଘାଇ ନିକଟରୁ ଓମିକ୍ରନର ସବୁଠାରୁ ଅଧିକ ସଂକ୍ରାମକ ଭାରିଏଣ୍ଟ ଠାବ କରିଥିବା ମଧ୍ୟ କହିଛନ୍ତି। ସମ୍ଭବତଃ ଏହି କାରଣରୁ ଚାଇନାରେ ଦୈନିକ ସଂକ୍ରମଣ ବଢ଼ୁଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ଚାଇନାରୁ ୨୦,୪୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଦେଶରେ କରୋନା ଯୋଗୁ କାହାର ମୃତ୍ୟୁ ଘଟିନାହିଁ। ସେହିପରି ଅଧିକାଂଶ ଆକ୍ରାନ୍ତଙ୍କ ଶରୀରରେ କୌଣସି ପ୍ରକାରର ଲକ୍ଷଣ ନାହିଁ। ସଙ୍ଘାଇରେ ସଂକ୍ରମଣ ରୋକିବାକୁ ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ସଂକ୍ରମିତ ହେଉଥିବା ଲୋକଙ୍କୁ ଅଲଗା ବିଲଡିଂରେ ରଖାଯାଉଛି। ଏପରି କି କୌଣସି ଛୋଟ ପିଲା କରୋନା ଆକ୍ରାନ୍ତ ହେଲେ, ସେମାନଙ୍କୁ ବାପା ମା’ଙ୍କ ଠାରୁ ଅଲଗା କରି ଦିଆଯାଉଛି। ଏହାକୁ ନେଇ ପରିବାର ଲୋକ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ରେ ଚାଇନାର ଉହାନରୁ ପ୍ରଥମେ କରୋନା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଚାଇନାର ବିଭିନ୍ନ ସହରକୁ ଏହା ବ୍ୟାପିଥିଲା। ପରବର୍ତ୍ତୀ ଅବସ୍ଥାରେ ପୂରା ବିଶ୍ୱ କରୋନା ପଞ୍ଝାରେ ପଡ଼ିଥିଲା।

Related Posts