
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏକମାସ ମଧ୍ୟରେ ରାଜ୍ୟରୁ ଚୁକ୍ତିଭିତ୍ତିକ ବା ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏଭଳି ପ୍ରତିଶ୍ରୁତି ଦେଇଥିବା ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ସଙ୍ଘ (ଓଜିସିଏ) ପକ୍ଷରୁ କୁହାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଓଜିସିଏ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଥିଲେ। ଏହି ବୈଠକରେ ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କ ସମେତ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ଥିଲେ।
ବୈଠକ ପରେ ଓଡ଼ିଶା ଚୁକ୍ତିଭିତ୍ତିକ ଶିକ୍ଷକ କର୍ମଚାରୀ ସଙ୍ଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦାବିକୁ ଯଥାର୍ଥ ବୋଲି ଗ୍ରହଣ କରିଛନ୍ତି। ଓଜିସିଏର ସମସ୍ତ ସଙ୍ଘ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ଉଚ୍ଛେଦ ପ୍ରସ୍ତାବକୁ ମାସେ ମଧ୍ୟରେ ପ୍ରତ୍ୟାହାର କରାଯିବ ବୋଲି ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ସରକାର ଉଚ୍ଚସ୍ତରୀୟ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଶିକ୍ଷକ ସଂଘର ଉପଦେଷ୍ଟା କହିଛନ୍ତି।
ଅନ୍ୟପଟେ ଯଦି ସରକାର ପ୍ରତିଶ୍ରୁତି ପୂରଣ ନକରନ୍ତି ତେବେ ସଂଘ ବୈଠକ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୩ ମସିହାରେ ଲାଗୁ ହୋଇଥିବା ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମକୁ ଉଚ୍ଛେଦ କରିବା ଦାବିରେ ଓଜିସିଏର ହଜାର ହଜାର ସଦସ୍ୟ ଗତ ସେପ୍ଟେମ୍ବର ମାସରେ ଭୁବନେଶ୍ୱରରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଗୋଟିଏ ନିୟମ ଲାଗୁ କରିବାକୁ କର୍ମଚାରୀ ସଙ୍ଘ ଦାବି କରିଛି।