ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟ ସରକାର ଗୁରୁବାର ଓଏଏସ୍ ଅଫିସରସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି । ରାଜ୍ୟର ୧୩୯ଜଣ ଓଏଏସ୍ ଅଫିସର(ଜୁନିୟର ବ୍ରାଂଚ)ଙ୍କୁ ବଦଳି କରାଯାଇଛି ଓ ଅକ୍ଟୋବର ୧୪ତାରିଖ ଅପରାହ୍ନ ସୁଦ୍ଧା ସେମାନଙ୍କୁ ରିଲିଭ୍ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୩୯ଜଣ ଓଏଏସ ଅଫିସରଙ୍କୁ ବଦଳି କରାଯାଇଛି। ଏହି ବଦଳିରେ ମୋଟ ୬୨ ଜଣ ତହସିଲଦାର ଥିବା ବେଳେ ୩୦ ଜଣ ଡେପୁଟି କଲେକ୍ଟର ରହିଛନ୍ତି। ସେହିପରି ପ୍ରାୟ ୧୦ ଜଣ ବିଡିଓ ଅଛନ୍ତି। ସେମାନଙ୍କୁ ତୁରନ୍ତ ନିଜ ନୂତନ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ଅଫିସରମାନଙ୍କୁ ୧୪ତାରିଖ ଅପରାହ୍ନ ସୁଦ୍ଧା ରିଲିଭ୍ କରିବା ପାଇଁ କୁହାଯାଇଥିବାବେଳେ ଏଥିରେ ଅଧିକାଂଶ ବିଡିଓ ଓ ତହସିଲଦାର ଅଛନ୍ତି । ଜଗତସିଂହପୁର ଜିଲ୍ଲାରେ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଓ କୋଷ୍ଟାଲ ହାଇୱେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ୩ଜଣ ଜମି ଅଧିଗ୍ରହଣ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଭୁବନେଶ୍ୱରର ଅତିରିକ୍ତ ତହସିଲଦାର ତଥା ଓଏଏସ୍ ଚିତ୍ତରଞ୍ଜନ ପିଲାଇଙ୍କୁ ଡେପୁଟି ଜିଲ୍ଲାପାଳ(ଜମି ଅଧିଗ୍ରହଣ) ଭାବେ ଜଗତସିଂହପୁର ବଦଳି କରାଯାଇଛି । ସେହିପରି କୃଷ୍ଣପ୍ରସାଦର ଅତିରିକ୍ତ ତହସିଲଦାର ଶଶୀଭୂଷଣ ମିଶ୍ରଙ୍କୁ ଡେପୁଟି ଜିଲ୍ଲାପାଳ(ଜମି ଅଧିଗ୍ରହଣ) ଓ ଖଲ୍ଲିକୋଟ ସବରେଜିଷ୍ଟ୍ରାର ମହେଶ୍ୱର ବେହେରାଙ୍କୁ ଡେପୁଟି ଜିଲ୍ଲାପାଳ(ଜମି ଅଧିଗ୍ରହଣ) ଭାବେ ଜଗତସିଂହପୁର ବଦଳି ହୋଇଥିବା ସୂଚନା ମିଳିଛି ।
