ଦେଶରେ ୟୁନିଫର୍ମ ସିଭିଲ୍ କୋଡ୍ ରହିବା ଉଚିତ୍, ସମ୍ବିଧାନର ଧାରା ୪୪ କୁ କାର୍ଯ୍ୟକାରୀ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ : ଦିଲ୍ଲୀ ହାଇକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବା ସମ୍ପର୍କରେ ଆଜି ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ମୀନା ଜନଜାତିର ଜଣେ ମହିଳା ଏବଂ ତାଙ୍କ ହିନ୍ଦୁ ସ୍ୱାମୀଙ୍କ ମଧ୍ୟରେ ଛାଡପତ୍ର ମାମଲାର ଶୁଣାଣି ବେଳେ ହାଇକୋର୍ଟ ୟୁନିଫର୍ମ ସିଭିଲ କୋର୍ଡ ଉପରେ ଟିପ୍ପଣୀ କରିଥିଲେ। ହାଇକୋର୍ଟ କହିଛନ୍ତି ଯେ ଦେଶରେ ବର୍ତ୍ତମାନ ୟୁନିଫର୍ମ ସିଭିଲ କୋଡର ଆବଶ୍ୟକତା ରହିଛି ଏବଂ ଏହାକୁ ଲାଗୁ କରିବା ପାଇଁ ଉପଯୁକ୍ତ ସମୟ ଆସିଯାଇଛି । ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ନେବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଉକ୍ତ ମହିଳାଙ୍କ ସ୍ୱାମୀ ହିନ୍ଦୁ ବିବାହ ଆଇନ ଅନୁଯାୟୀ ଛାଡପତ୍ର ଚାହୁଁଥିବାବେଳେ ପତ୍ନୀ କିନ୍ତୁ ଏହାର ସପକ୍ଷରେ ନଥିଲେ। ଯେହେତୁ ସେ ମୀଣା ଜନଜାତିର ଅଟନ୍ତି, ତେଣୁ ତାଙ୍କ କ୍ଷେତ୍ରରେ ହିନ୍ଦୁ ବିବାହ ଆଇନ ପ୍ରଯୁଜ୍ୟ ନୁହେଁ। ଫ୍ୟାମିଲି କୋର୍ଟରେ ତାଙ୍କ ସ୍ୱାମୀ ଦାଖଲ କରିଥିବା ଛାଡପତ୍ର ଆବେଦନକୁ ଖାରଜ କରିବାକୁ ପତ୍ନୀ ଦାବି କରିଛନ୍ତି। ପତ୍ନୀଙ୍କ ଏହି ଯୁକ୍ତି ବିରୋଧରେ ତାଙ୍କ ସ୍ୱାମୀ ହାଇକୋର୍ଟରେ ଆବେଦନ କରିଥିଲେ।

ଧର୍ମ, ଜାତିର ପାର୍ଥକ୍ୟ ସମାପ୍ତ ହେଉଛି: କୋର୍ଟ

ଏହି ମାମଲାର ଶୁଣାଣି ସମୟରେ ଦିଲ୍ଲୀ ହୋଇକୋର୍ଟ କହିଛନ୍ତି ଯେ ଭାରତୀୟ ସମାଜରେ ଜାତି, ଧର୍ମ ଏବଂ ସମ୍ପ୍ରଦାୟ ମଧ୍ୟରେ ଥିବା ପାର୍ଥକ୍ୟ ଧୀରେ ଧୀରେ ଲୋପ ପାଇବାକୁ ଯାଉଛି। ଏହି ପରିବର୍ତ୍ତନ ହେତୁ, ଅନ୍ୟ ଜାତି କିମ୍ବା ଧର୍ମରେ ବିବାହ କରିବା ପରେ ଛାଡପତ୍ର ନେବାରେ ସମସ୍ୟା ଦେଖାଦେଉଛି। ଆଜିର ଯୁବ ପିଢିଙ୍କୁ ଏହି ସମସ୍ୟାରୁ ରକ୍ଷା କରିବାର ଆବଶ୍ୟକତା ରହିଛି । ତେଣୁ ବର୍ତ୍ତମାନ ସମୟରେ ଦେଶରେ ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ ହେବା ଉଚିତ୍ । ସମ୍ବିଧାନର ଧାରା ୪୪ ରେ ୟୁନିଫର୍ମ ସିଭିଲ୍ କୋଡ୍ ସମ୍ବନ୍ଧରେ ଯାହା କୁହାଯାଇଛି ତାକୁ ବାସ୍ତବରେ ରୂପାନ୍ତରିତ କରିବାକୁ ପଡ଼ିବ।

ୟୁନିଫର୍ମ ସିଭିଲ୍ କୋଡ୍ କ’ଣ ?

ସମ୍ବିଧାନର ଭାଗ ୪ ରେ ରାଜ୍ୟ ନୀତିର ନିର୍ଦ୍ଦେଶନାମା ବିଷୟରେ ବର୍ଣ୍ଣନା କରାଯାଇଛି । ସମ୍ବିଧାନର ଧାରା ୩୬ ରୁ ୫୧ ମାଧ୍ୟମରେ ଅନେକ ପ୍ରସଙ୍ଗରେ ରାଜ୍ୟ ଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏବଂ ରାଜ୍ୟମାନେ ସେମାନଙ୍କର ନୀତି ପ୍ରସ୍ତୁତ କରିବା ସମୟରେ ଏହି ନିର୍ଦ୍ଦେଶନାମା ଗୁଡ଼ିକ ଉପରେ ଧ୍ୟାନ ଦେବାକୁ କୁହାଯାଇଛି। ଏଥିମଧ୍ୟରୁ ଧାରା ୪୪ ରାଜ୍ୟକୁ ସମସ୍ତ ଧର୍ମ ପାଇଁ ସଠିକ୍ ସମୟରେ ୟୁନିଫର୍ମ ସିଭିଲ୍ କୋଡ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛି। ସରଳ ଶବ୍ଦରେ କହିଲେ , ୟୁନିଫର୍ମ ସିଭିଲ୍ କୋଡ୍ ଅର୍ଥାତ୍ ଦେଶର ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ପ୍ରକାର ପର୍ସନାଲ ନିୟମ ଲାଗୁ କରିବା ରାଜ୍ୟର କର୍ତ୍ତବ୍ୟ।

ବର୍ତ୍ତମାନ ଦେଶରେ ସ୍ଥିତି କ’ଣ ?

ବର୍ତ୍ତମାନ ଦେଶରେ ହିନ୍ଦୁ ଏବଂ ମୁସଲମାନମାନଙ୍କ ପାଇଁ ଅଲଗା ପର୍ସନାଲ ନିୟମ ରହିଛି । ଏହି ନିୟମ ଅନୁଯାୟୀ ସମ୍ପତ୍ତି, ବିବାହ, ଛାଡପତ୍ର ଏବଂ ଉତ୍ତରାଧିକାରୀ ପରି ବିଷୟଗୁଡ଼ିକ ସମ୍ପର୍କରେ ଉଲ୍ଲେଖ ରହିଛି । ୟୁନିଫର୍ମ ସିଭିଲ କୋଡ ଉପରେ ରାଜନୈତିକ ବିତର୍କ ମଧ୍ୟ ଚାଲିଛି। ଧର୍ମନିରପେକ୍ଷତାକୁ ନେଇ ଯେତେବେଳେ ବିତର୍କ ହୋଇଥାଏ ସେତେବେଳେ ୟୁନିଫର୍ମ ସିଭିଲ କୋଡ ଉପରେ ଚର୍ଚ୍ଚା ହୋଇଥାଏ। ଯେଉଁମାନେ ଏହାକୁ ସମର୍ଥନ କିମ୍ବା ଏହାର ବିରୋଧ କରୁଛନ୍ତି ସେମାନଙ୍କର ସାମାଜିକ ଏବଂ ଧାର୍ମିକ ପ୍ରଭାବ ବିଷୟରେ ଭିନ୍ନ ଚିନ୍ତାଧାରା ରହିଛି । କଂଗ୍ରେସ ପାର୍ଟି ଏହାକୁ ବିରୋଧ କରୁଥିବାବେଳେ ବିଜେପି ସର୍ବଦା ଏହାକୁ ସମର୍ଥନ କରିଆସିଛି।

ପ୍ରଥମେ କେବେ ଚର୍ଚ୍ଚାକୁ ଆସିଥିଲା ?

୧୯୮୫ ରେ ଶାହବାନୋ ମାମଲା ପରେ ୟୁନିଫର୍ମ ସିଭିଲ କୋଡ ଲାଇମଲାଇଟକୁ ଆସିଥିଲା। ଛାଡପତ୍ର ପରେ ସୁପ୍ରିମକୋର୍ଟ ଶାହବାନୋଙ୍କ ପୂର୍ବତନ ସ୍ୱାମୀଙ୍କ ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ମାମଲାରେ କୋର୍ଟ କହିଥିଲେ ଯେ ପର୍ସନାଲ ଲ’ରେ ୟୁନିଫର୍ମ ସିଭିଲ କୋଡ ପ୍ରଯୁଜ୍ୟ ହେବା ଉଚିତ । ସେହି ସମୟରେ ରାଜୀବ ଗାନ୍ଧୀ ସରକାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରିବା ପାଇଁ ସଂସଦରେ ଏକ ବିଲ୍ ପାରିତ କରିଥିଲେ।

Related Posts