କୋଭିଡ ଭୟ; ସଂସଦରେ ଶାସକ ଦଳର ସାଂସଦ ପିନ୍ଧିଲେ ମାସ୍କ, ପିନ୍ଧିଲେନି ବିରୋଧୀ

ଭୁବନେଶ୍ୱର,୨୨/୧୨(ସତ୍ୟପାଠ ବ୍ୟୁରୋ): କେତେକ ଦେଶରେ ବଢୁଥିବା କୋଭିଡ ମାମଲାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟ ବିଜେପି ସାଂସଦମାନେ ଗୁରୁବାର ଦିନ ସଂସଦ ଚାଲିଥିବା ବେଳେ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି। ଲୋକସଭାରେ ବାଚସ୍ପତି ଓମ ବିର୍ଲା ମଧ୍ୟ ସମସ୍ତ ସାଂସଦଙ୍କୁ ମାସ୍କ ପିନ୍ଧିବାକୁ ଏବଂ କୋଭିଡ ଉପଯୁକ୍ତ ଆଚରଣ ବିଷୟରେ ସଚେତନତା କରିବାକୁ ଅନୁରୋଧ କରିଥିଲେ। ତେବେ ଆଜି ଗୃହରେ ଶାସକ ଦଳର ସାଂସଦ ମାନେ ମାସ୍କ ପିନ୍ଧିଥିବାର ଦେଖାଯାଇଥିବା ବେଳେ ବିରୋଧୀ ସାଂସଦ ମାନେ ମାସ୍କ ପିନ୍ଧି ନଥିଲେ।

ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, କୋଭିଡ ବିରୋଧରେ ମାସ୍କ ଯଥେଷ୍ଟ ପ୍ରଭାବଶାଳୀ ଏବଂ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡିବ। ମାସ୍କ ପିନ୍ଧିବାରେ କୌଣସି କ୍ଷତି ନାହିଁ କାରଣ ଏହା ବାୟୁମଣ୍ଡଳରେ ଥିବା ପ୍ରଦୂଷଣରୁ ମଧ୍ୟ ସୁରକ୍ଷା ଦିଏ ବୋଲି ସେ କହିଛନ୍ତି।

ଚୀନରେ ଚିହ୍ନଟ ହୋଇଛି ଓମିକ୍ରନର BF.7 ସବ୍-ଭାରିଆଣ୍ଟ। ଯେଉଁଥିପାଇଁ ସେଠାରେ ସଂକ୍ରମଣ ଅଧିକ ବଢିବାରେ ଲାଗିଛି। ଏହାରି ଭିତରେ ଓଡ଼ିଶାର ଜଣେ ଏବଂ ଭାରତରେ ଚାରୋଟି ମାମଲା ଚିହ୍ନଟ ହୋଇଥିବା ସୂଚନା ରହିଛି।

ତେବେ ମାସ୍କ ପିନ୍ଧିବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ସଂସଦର ଉଭୟ ଗୃହର ସଦସ୍ୟଙ୍କୁ ମୁହଁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଥିଲେ କିନ୍ତୁ ବିରୋଧୀ ଦଳର ନେତାମାନେ ମାସ୍କ ପିନ୍ଧି ନଥିଲେ, ଯାହାକି କୋଭିଡ ଗାଇଡଲାଇନ ପ୍ରତି ସେମାନଙ୍କର ମନୋଭାବ ପ୍ରଦର୍ଶନ କରିଥାଏ ବୋଲି ସେ କହିଛନ୍ତି।

Related Posts