କରୋନା ମାମଲାରେ ବୃଦ୍ଧି ଦେଖି ରାଜସ୍ଥାନରେ ଚାଲିଥିବା ଜନ ଆକ୍ରୋଶ ଯାତ୍ରାକୁ ସ୍ଥଗିତ ରଖିଲା ବିଜେପି

ଭୁବନେଶ୍ୱର,୨୨/୧୨(ସତ୍ୟପାଠ ବ୍ୟୁରୋ): ସାରା ବିଶ୍ୱରେ ଏବେ କରୋନା ମାମଲା ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତରେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏସବୁ ଭିତରେ କରୋନା ମାମଲା ପୁଣିଥରେ ବୃଦ୍ଧି ଯୋଗୁଁ ଭାରତୀୟ ଜନତା ପାର୍ଟି ରାଜସ୍ଥାନରେ ଚାଲିଥିବା ଦଳର ଜନ ଆକ୍ରୋଶ ଯାତ୍ରାକୁ ସ୍ଥଗିତ ରଖିବାକୁ ଘୋଷଣା କରିଛି । ଦଳର ସାଧାରଣ ସମ୍ପାଦକ ତଥା ରାଜସ୍ଥାନର ପ୍ରଭାରୀ ଅରୁଣ ସିଂ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ରାଜସ୍ଥାନରେ ଚାଲିଥିବା ଜନ ଆକ୍ରୋଶ ଯାତ୍ରା ବନ୍ଦ କରିବାକୁ ବିଜେପି ନିଷ୍ପତ୍ତି ନେଇଛି ।ଅରୁଣ ସିଂ କହିଛନ୍ତି, ଜନସାଧାରଣଙ୍କ ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ । ଏଥି ସହ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ, ରାହୁଲ ଗାନ୍ଧୀ ମଧ୍ୟ ଏହି ଘଟଣାରେ ଧ୍ୟାନ ଦେବା ଉଚିତ । ଅନ୍ତତଃପକ୍ଷେ କୋଭିଡ ଗାଇଡଲାଇନ୍ ପାଳନ କରିବା ଉଚିତ୍ ।

ସୂଚନାଥାଉକି, ଭାରତୀୟ ଜନତା ପାର୍ଟି ରାଜସ୍ଥାନରେ ଅଶୋକ ଗେହଲଟ୍ ସରକାରଙ୍କ ବିରୋଧରେ ଜନ ଆକ୍ରୋଶ ଯାତ୍ରା ଆରମ୍ଭ କରିଥିଲା, ଯାହା ବର୍ତ୍ତମାନ ବାତିଲ ହୋଇଯାଇଛି । ବିଜେପିର ଏହି ଯାତ୍ରା ଦଳର ଅଧ୍ୟକ୍ଷ ଜେପି ନଡା ଡିସେମ୍ବର ୨ରେ ଆରମ୍ଭ କରିଥିଲେ । ଏହି ଯାତ୍ରା ଅଧୀନରେ ୭୫ ହଜାର କିଲୋମିଟର ଦୂରତା ଯାତ୍ରା କରିବାର ଯୋଜନା ଥିଲା । ଜନ ଆକ୍ରୋଶ ଯାତ୍ରା ସମୟରେ ୨ କୋଟି ଲୋକଙ୍କ ସହ ଯୋଗାଯୋଗ କରାଯିବ ବୋଲି ବିଜେପି ନିଷ୍ପତ୍ତି ନେଇଛି ଏବଂ ଏହି ଯାତ୍ରା ସମୟରେ ଦଳର ନୀତିକୁ ଲୋକଙ୍କ ପାଖକୁ ନେବା ପାଇଁ କାର୍ଯ୍ୟ କରାଯିବ ।

ଅରୁଣ ସିଂ କହିଛନ୍ତି ଯେ, ବିଜେପି ପାଇଁ ପ୍ରଥମେ ଦେଶ ଏବଂ ଜନସାଧାରଣ, ତା’ପରେ ରାଜନୀତି । ଆମ ପାଇଁ ଜନସାଧାରଣଙ୍କ ସୁରକ୍ଷା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ସର୍ବପ୍ରଥମେ । ଅରୁଣ ସିଂ କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ଟାର୍ଗେଟ କରି କହିଛନ୍ତି ଯେ, ରାଜନୈତିକ ଖୁସି ପାଇଁ କଂଗ୍ରେସ ଲୋକଙ୍କ ଜୀବନ ସହ ଖେଳୁଛି। କଂଗ୍ରେସ ଏହାର ରାଜନୀତି ପାଇଁ ଲୋକଙ୍କ ସହ ଖେଳିବା ଉଚିତ ନୁହେଁ ।

Related Posts