ବିବାହ ବନ୍ଧନରେ ବାନ୍ଧି ହେବେ ପୁରୀ ଗଜପତି ମହାରାଜାଙ୍କ ଝିଅ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିବାହ ବନ୍ଧନରେ ବାନ୍ଧି ହେବେ ପୁରୀ ଗଜପତି ମହାରାଜାଙ୍କ ଝିଅ । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଚତୁର୍ଥ ତଥା କନିଷ୍ଠ କନ୍ୟା ଦେବେଶୀ ଦେବୀଙ୍କ ପଡ଼ିବ ହାତଗଣ୍ଠି। ହରିୟାଣା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କୁ ଜୀବନସାଥୀ କରିବେ ଦେବେଶୀ । ଗଜପତିଙ୍କ ଝିଅ ବାହାଘର ପାଇଁ ବ୍ୟାପକ ଆୟୋଜନ ହୋଇଛି । ବିବାହ ପୂର୍ବରୁ ସମ୍ପନ୍ନ ହୋଇଛି ପାଟ ମୁଦି, ତିଳକ, ମଙ୍ଗଳକୃତ୍ୟ । ଆଜି ରାତିରେ ଦେବେଶୀ ଏବଂ ଆଦିତ୍ୟଙ୍କ ମଧ୍ୟରେ ଭୁବନେଶ୍ୱରର ଏକ ତାରକା ହୋଟେଲ୍ରେ ବିବାହ ହେବ । ଆଜି ପୁରୀ ରାଜନଅରରେ ଶ୍ରୀମନ୍ଦିର କାର‌୍ୟ୍ୟାଳୟର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କୁ ଭୋଜି ପାଇଁ ନିମନ୍ତ୍ରଣ କରାଯାଇଛି ।

ସେପଟେ ପୁରୀରେ ବରପକ୍ଷଙ୍କ ରହଣୀର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବଡ଼କଥା ହେଉଛି, ବରପକ୍ଷରୁ ଆସିଥିବା ଏହି ରାଜ ପରିବାର କୋଭିଡ୍ ନିୟମ ଅନୁସରଣ ପୂର୍ବକ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଗତକାଲି ସାଢ଼େ ୫ଟାରେ ସିଂହଦ୍ବାରଠାରେ ପହଞ୍ଚିବା ପରେ ରାଜ ପରିବାର ସଦସ୍ୟମାନେ କୋଭିଡ୍ ପ୍ରମାଣପତ୍ର ଯାଞ୍ଚ ପାଇଁ ଖୋଲିଥିବା କିଓସ୍କରେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଓ ଡବଲ୍ ଡୋଜ୍ ଟୀକା ପ୍ରମାଣପତ୍ର ଦେଖାଇଥିଲେ। ପରେ ଭକ୍ତଙ୍କ ପାଇଁ ଥିବା ଧାଡ଼ିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

Related Posts