ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଶୀପୁରରେ ଭିବ୍ରିଓ କଲେରା ଚିହ୍ନଟ ପରେ ତତ୍ପର ସ୍ୱାସ୍ଥ୍ୟ ବିଭାଗ । କାଶୀପୁରରେ କଲେରା ଆତଙ୍କକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ରଙ୍କ ପ୍ରତିକ୍ରିୟା । କାଶୀପୁରରେ ଦୂଷିତ ପାଣିରୁ ବ୍ୟାପୁଛି କଲେରା । ପରୀକ୍ଷାରୁ ଭିବ୍ରିଓ କଲେରା ବ୍ୟାକ୍ଟେରିଆ ମିଳିଛି । ରୋଗୀଙ୍କ ରେକ୍ଟାଲ ସ୍ୱାବରୁ ମଧ୍ୟ କଲେରା ବ୍ୟାକ୍ଟେରିଆ ମିଳିଛି । ମୋଟ ୧୪ଟି ରେକ୍ଟାଲ ସ୍ୱାବ ଓ ବିଭିନ୍ନ ଜାଗାରୁ ୭-୮ଟି ଜଳ ଉତ୍ସରୁ ପାଣିକ ନମୁନା ନିଆଯାଇଥିଲା । ୩ଟି ପାଣି ନମୁନା ଏବଂ ୭ଟି ରେକ୍ଟାଲ ସ୍ୱାବ ନମୁନାରୁ କଲେରା ବ୍ୟାକ୍ଟେରିଆ ମିଳିଛି । କାଶୀପୁର ବ୍ଲକର ଟିକିରି ପଂଚାୟତର ୩ଟି ଗାଁରେ ୧୨ ତାରିଖରୁ ଝାଡାବାନ୍ତି ହୋଇଥିଲା ।

ବର୍ତମାନ ସୁଦ୍ଧା ଏଥିରେ ୯୬ଜଣ ଆକ୍ରାନ୍ତ ହୋଇଛନ୍ତି । ୭ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥିତି ନିୟନ୍ତ୍ରଣ ଲାଗି ଆବଶ୍ୟକ ପଦକ୍ଷେପ ମଧ୍ୟ ନିଆଯାଉଛି । ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ଘର ଘର ବୁଲି ସ୍ଥିତି ନିିରିକ୍ଷଣ କରୁଛନ୍ତି । ମେଡିକାଲ ଟିମ୍ ମୁତୟନ ହୋଇଛି । ସେପଟେ ଉକ୍ରଳ ଆଲୁମିନା ହସ୍ପିଟାଲରେ ୫୦ ବେଡର ସ୍ୱତନ୍ତ୍ର ଡାଇରିଆ ୱାର୍ଡ ଖୋଲାଯାଇଛି । କାଶୀପୁରରେ ବର୍ତମାନ ୪ଜଣ ଡାକ୍ତର ନିୟୋଜିତ ହୋଇଛନ୍ତି । ରାୟଗଡାରେ ମେଡିସିନ୍ ସ୍ପେଶାଲିଷ୍ଟଙ୍କ ତତ୍ୱାବଧାନରେ ଚିକିତ୍ସା ହେଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେହିପରି ଭୁବନେଶ୍ୱରର ଏକ ଟିମ୍ ଯାଇ କାଶୀପୁରରେ ଅଛନ୍ତି ।

କିପରି କଲେରା ନବ୍ୟାପିବ ତା ଉପରେ ଏହି ଟିମ୍ କାର୍ଯ୍ୟକରୁଥିବା ନିରଂଜନ ମିଶ୍ର କହିଛନ୍ତି । ସେପଟେ କାଶୀପୁର ଅଂଚଳରେ ଦୂଷିତ ପାଣି ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସଂପୃକ୍ତ ଅଂଚଳକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଥିବା କହିଛନ୍ତି ଜିଲ୍ଲାପାଳ । କ୍ରମାଗତ ବର୍ଷା ଯୋଗୁଁ ଜଳରେ ଥିବା ଭୁତାଣୁ ଚାରିଆଡ଼କୁ ବ୍ୟାପୁଥିବାରୁ କାଶିପୁରର ସମସ୍ତ ଜଳ ଉତ୍ସର ବ୍ୟବହାର ଉପରେ ରୋକ୍ ଲଗାଇଛି ପ୍ରଶାସନ । ୪ ଦିନ ଭିତରେ ସମସ୍ତ ଜଳ ଉତ୍ସଗୁଡ଼ିକର ପରୀକ୍ଷା କରି ବ୍ୟବହାର ଉପଯୋଗୀ କରିବାକୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।