
ଋଷ- ୟୁକ୍ରେନ୍ ଯୁଦ୍ଧ ଆଜିକୁ 11 ଦିନରେ ପହଂଚିଛି । ଋଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ ଜାରି ରଖିଥିବା ବେଳେ, ଯାହାକୁ ନେଇ ଅନେକ ଦେଶ ଚିନ୍ତିତ ଅଛନ୍ତି । ଏପରିକି ଏହି ଯୁଦ୍ଧ ର ପ୍ରଭାବ ଅନ୍ତର୍ଜାତୀୟ ବଜାର ଉପରେ ପଡ଼ିଛି । ମାନ୍ଦା ହେବାକୁ ବସିଲାଣି ଅନ୍ତର୍ଜାତୀୟ ବଜାର । ବିଶେଷ କରି ପେଟ୍ରୋଲିୟମ୍ ଏବଂ ଗ୍ୟାସର ଉପଲବ୍ଧତାକୁ ଦୃଷ୍ଟିରେ ରଖି ସମସ୍ୟା ସୃଷ୍ଟି ହୋଇଥିବାବେଳେ ଦୁଇ ଦେଶ ମଧ୍ୟରେ ଲାଗିଥିବା ଯୁଦ୍ଧ ଯୋଗୁଁ ଚିପ୍ ସଙ୍କଟ ମଧ୍ୟ ଗୁରୁତର ହେବାର ଯଥେଷ୍ଟ ଆଶଙ୍କା ସୃଷ୍ଟି ହୋଇଛି ।
ଗତ ଦୁଇ ବର୍ଷରେ କରୋନା ମହାମାରୀ ଯୋଗୁଁ ବିଶ୍ୱ ସ୍ତରରେ ଚିପ୍ ର ଅଭାବ ଦେଖାଦେଇଥିବାବେଳେ ଶିଳ୍ପକ୍ଷେତ୍ର ବ୍ୟାପକ ପ୍ରଭାବିତ ହୋଇଛି । ବିଶେଷ କରି ଅଟୋମୋବାଇଲ , ମୋବାଇଲ ଓ ଲାପଟପ୍ ଉତ୍ପାଦନ ପାଇଁ ସମସ୍ୟା ବଢିଛି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଏହି ସମସ୍ୟା ଆହୁରି ଉକ୍ରଟ ହୋଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।
ଏକ ରିପୋର୍ଟ ମୁତାବକ, ଚିପ୍ ପ୍ରସ୍ତୁତି ପାଇଁ ପେଲୋଡିୟମ୍ ଏବଂ ନିଅନ୍ ଭଳି ଦୁଇଟି ସାମଗ୍ରୀର ଆବଶ୍ୟକତା ସବୁଠୁ ଅଧିକ ରହିଥାଏ । କେବଳ ଋଷରୁ ୪୪ ପ୍ରତିଶତ ପେଲୋଡିୟମ ଯୋଗାଣ ହେଉଥିବାବେଳେ ସାରା ବିଶ୍ୱ ସ୍ତରରେ କେବଳ ୟୁକ୍ରେନରୁ ହିଁ ୭୦ ପ୍ରତିଶତ ନିଅନ ଯୋଗାଣ ହୋଇଥାଏ । କୌଣସି ଚିପ୍ ତିଆରି ପାଇଁ ଏହି ଦୁଇଟି ଜିନିଷ ମୁଖ୍ୟ । ହେଲେ ୟୁକ୍ରେନ – ଋଷ ଯୁଦ୍ଧ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ନେଇ ଏହି ଦୁଇଟି ଜିନିଷର ଯୋଗାଣ ବାଧାପ୍ରାପ୍ତ ହୋଇଛି । ଯାହାକୁ ନେଇ ଆଗାମୀ ଦିନରେ ଚିପ୍ ସଙ୍କଟ ଦେଖାଦେବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି ।
ମୁଡିଜର ରିପୋର୍ଟ ମୁତାବକ, କରୋନା ମହାମାରୀରେ ଏପରି ସଙ୍କଟ ଦେଖାଦେଇଥିଲା । ଏବେ କରୋନାର ଭୟ ଟଳିଯାଇଛି ହେଲେ ଟଳିନି ବିପଦ । କାରଣ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅବସାନ କେବେ ହେବ କାହାରିକୁ ଜଣାନାହିଁ । ଏହା ଭିତରେ ବିଶ୍ୱ ଅର୍ଥନୀତିରେ ବ୍ୟାପକ କ୍ଷତି ଦେଖାଦେଇଥିବାବେଳେ ପ୍ରଦ୍ୟୋଗ କ୍ଷେତ୍ରରେ ମଧ୍ୟ ବ୍ୟାପକ ପ୍ରଭାବ ପଡିବ । ଯାହା ଚିପ୍ ସଙ୍କଟ ଖବରରୁ ସ୍ପଷ୍ଟ ହେଉଛି । ଯୁଦ୍ଧ ସ୍ଥିତି ଏହାକୁ ଆହୁରି ଗମ୍ଭୀର କରିଛି । ବିଶେଷ କରି କାର ଓ ମୋବାଇଲ ଉତ୍ପାଦନ ଉପରେ ଏହାର ଗୁରୁତର ପ୍ରଭାବ ପଡିଛି ।
ସେପଟେ ଯୁଦ୍ଧ କୁ ଏଡ଼ାଇବା ପାଇଁ ଋଷ ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି ଇସ୍ରାଲ ର ପ୍ରଧାନମନ୍ତ୍ରୀ ।