ପୁଲିସ ଠାରୁ ନ୍ୟାୟ ନମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଲିସ ଠାରୁ ନ୍ୟାୟ ନମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ଜଣଙ୍କ ଆତ୍ମାହୁତି ଦେବା ପାଇଁ ଉଦ୍ୟମ କରିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ତି ଅନ୍ତର୍ଗତ କୋଇଲିପଙ୍ଗି ଅଞ୍ଚଳରେ । ଜଣେ ମହିଳା ପଡ଼ୋଶୀ ଦ୍ବାରା ନିର‌୍ୟାତିତ ହୋଇଛନ୍ତି। ଫାଣ୍ଡିରେ ଏ ସଂପର୍କରେ ଅଭିଯୋଗ ସତ୍ତ୍ବେ ପୁଲିସ ନ୍ୟାୟ ଦେବା ବଦଳରେ ଅଭିଯୁକ୍ତକୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଛି। ପୁଲିସଠାରୁ ନ୍ୟାୟ ନମିଳିବାରୁ ମହିଳା ଜଣକ ବୁଧବାର ଦିନ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ସେପଟେ ଢେଙ୍କାନାଳ ସଦର ଥାନା ସପ୍ତଶଯ୍ୟା ପଞ୍ଚାୟତ କମିନିଙ୍ଗ ଗାଁର ମିତା(ଛଦ୍ମନାମ,୩୫) ଉତ୍ତରପ୍ରଦେଶରେ ବିବାହ କରିଥିଲେ। ପରିବାର ଲୋକେ ବିବାହ ନାଁରେ ଜବରଦସ୍ତ ତାଙ୍କୁ ସେଠାରେ ବିକ୍ରି କରିଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ମିତାଙ୍କୁ ଶାଶୂଘର ଲୋକେ ବାରମ୍ବାର ମାଡ଼ପିଟ କରିବାରୁ ସେ ୭ ବର୍ଷ ହେଲା ଫେରିଆସିଛନ୍ତି। ତାଙ୍କ ବଡ଼ପୁଅକୁ ତାଙ୍କ ଶାଶୂଘର ଲୋକ ରଖିଥିବାବେଳେ ଆଉ ଗୋଟିଏ ପୁଅ ଏବଂ ୧୦ ବର୍ଷର ଝିଅକୁ ଧରି ସେ ଢେଙ୍କାନାଳରେ ଘର ଭଡ଼ା ନେଇ ରହୁଥିଲେ। ଲୋକଙ୍କ ବାସନମାଜି ଚଳୁଥିଲେ। ବାସହୀନଙ୍କୁ ସରକାର ଜମିପଟ୍ଟା ଏବଂ ଘର କରିବା ପାଇଁ ଟଙ୍କା ଦେଉଥିବା ଜାଣିବା ପରେ ସେ ୫ ମାସ ହେଲା ଭାପୁର ଫାଣ୍ତି କୋଇଲିପଙ୍ଗି ଅଞ୍ଚଳରେ ତମ୍ବୁଟାଣି ୨ ପିଲାଙ୍କ ସହ ରହୁଥିଲେ। ସେଠାରେ ତାଙ୍କ ପଡ଼ୋଶୀ ତାଙ୍କୁ ଏବଂ ତାଙ୍କ ନାବାଳିକା ଝିଅକୁ ଅଶ୍ଳୀଳ ଇଙ୍ଗିତକରି ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରୁଛନ୍ତି।

ଏ ସଂପର୍କରେ ମିତା ଭାପୁର ଫାଣ୍ତିରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଏହାର ତଦନ୍ତ କରି ଦୋଷୀକୁ ଦଣ୍ତଦେବା ବଦଳରେ ଗତ ୨୪ ତାରିଖରେ ଫାଣ୍ତି ଅଧିକାରୀ ଘଟଣାର ରଫାଦଫା କରିଦେଇଥିଲେ। ଏହାପରେ ସେ ୪ ଦିନ ତଳେ ଏସ୍ପିଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିଲେ। ବାରମ୍ବାର ପୁଲିସର ଦ୍ବାରସ୍ଥ ହୋଇ ନିରାଶ ହେବା ପରେ ନିଜର ଓ ପିଲାମାନଙ୍କ ସୁରକ୍ଷା ଦାବିକରି ବୁଧବାର ଦିନ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ଆଗରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts