ଢ଼ିଙ୍କିଆରେ ପୁଲିସକୁ ଆକ୍ରମଣ ମାମଲାରେ ଆଉ ୪ ଗିରଫ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଢ଼ିଙ୍କିଆରେ ପୁଲିସକୁ ଆକ୍ରମଣ ମାମଲାରେ ଆଉ ୪ ଜଣ ଗିରଫ ହୋଇଥିବାର ସୂଚନା ମିଳିଛି । ମାହାଳ ନିକଟରେ ରାଜସ୍ବ ଗାଁ ସୀମା ନିର୍ଦ୍ଧାରଣ ସମୟରେ ହୋଇଥିବା ପୁଲିସକୁ ଟେକାମାଡ଼ ଅଭିଯୋଗରେ ସମ୍ପୃକ୍ତି ଥିବା ଦର୍ଶାଇ ପ୍ରକାଶଙ୍କୁ ଗିରଫ କରାଯାଇଛି। କିଛି ଦିନର ବ୍ୟବଧାନ ପରେ ଜଗତସିଂହପୁରର ଢ଼ିଙ୍କିଆରେ ପୁଲିସ ପକ୍ଷରୁ ଗିରଫଦାରୀ ଆରମ୍ଭ ହୋଇଛି । ଏଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପୂର୍ବତନ ଥାନା ଇନ୍ସପେକ୍ଟର ପ୍ରଦ୍ୟୁମ୍ନ କୁମାର ବେହେରାଙ୍କୁ ଆକ୍ରମଣ ମାମଲାରେ ଅନ୍ୟ ତିନିଜଣଙ୍କୁ ଗିରଫ କରାଯାଇଛି। ହଠାତ୍ ରାତିଅଧିଆ ଏହି ଗିରଫଦାରୀକୁ ନେଇ ଜୋରଦାର ଚର୍ଚ୍ଚା ଜୋର୍ ଧରିଛି। ଏହି ଘଟଣା ବି ପ୍ରକଳ୍ପ ଓ ପ୍ରଶାସନ ବିରୋଧରେ ମେଳି ବାନ୍ଧିବାକୁ ପ୍ରୟାସ କରୁଥିବା ଆନ୍ଦୋଳନକାରୀଙ୍କ ମଧ୍ୟରେ ଛନକା ଖେଳାଇଦେଇଛି। ଏହି ଘଟଣା ପରେ ଆନ୍ଦୋଳନକାରୀଙ୍କ ପ୍ରତି ପ୍ରଶାସନର ଆଭିମୁଖ୍ୟ ପୁଣିଥରେ ଅସ୍ପଷ୍ଟ ହୋଇଯାଇଛି। ଗତ ମକର ସଂକ୍ରାନ୍ତି ଦିନ ଢିଙ୍କିଆରେ ପଶି ପୁଲିସ ଲାଠିଚାର୍ଜ କରିବା ସହ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା।

ସେହିଦିନଠାରୁ ଆଉ କୌଣସି ଆନ୍ଦୋଳନ ମୁଣ୍ଡ ଟେକିନଥିବାବେଳେ ଏବେବି କିଛି ଆନ୍ଦୋଳନକାରୀ ଘରକୁ ନ ଫେରି ଜଙ୍ଗଲରେ ଲୁଚି ରହିଛନ୍ତି। ଏସ୍ପି ଅଖିଳେଶ୍ବର ସିଂ ବାହାରେ ଲୁଚିଥିବା ଗ୍ରାମବାସୀଙ୍କୁ ଗାଁକୁ ଫେରି ଆସିବା ପାଇଁ ବାରମ୍ବାର ନିବେଦନ କରୁଛନ୍ତି। ଆଦୌ ଗିରଫଦାରୀ କରାଯିବ ନାହିଁ ବୋଲି ଗଣମାଧ୍ୟମ ଜରିଆରେ ପ୍ରତିଶ୍ରୁତି ବି ଦେଉଛନ୍ତି। ଏଥିସହିତ, ଯାହାବି କିଛି ସମସ୍ୟା ରହିଛି ଜିଲ୍ଲା ପ୍ରଶାସନ ସହ ଖୋଲାଖୋଲି ଆଲୋଚନା କରିବା ପାଇଁ ଆହ୍ବାନ ବି ଦେଇଛନ୍ତି। ତେବେ, ଏହାର କିଛିଦିନ ପରେ ପୁଣିଥରେ ଗିରଫଦାରୀ ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। କିଛି ସ୍ଥାନୀୟଲୋକ କହିଛନ୍ତି ଯେ ପୁଲିସ ନିଜ ପ୍ରତିଶ୍ରୁତି ପାଳନ କରୁ ନାହିଁ।

ଏମିତିକି ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଚାଲିଥିବାରୁ ଏହାକୁ ସେମାନେ ପ୍ରସଙ୍ଗ କରିବାକୁ ମଧ୍ୟ ଯୋଜନା କରିଥିବା ଜଣାପଡ଼ିଛି। ଅନ୍ୟପଟେ ପୁଲିସ ବିରୋଧରେ ଏମିତି ଅଭିଯୋଗକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିଛନ୍ତି ଏସପି ଅଖିଳେଶ୍ବର ସିଂ। ସେ କହିଛନ୍ତି ଯେ, ଗତକାଲି ଗିରଫ କରାଯାଇଥିବା ବ୍ୟକ୍ତିମାନେ ଏବେ ବି ଲୋକମାନଙ୍କୁ ପୁଲିସ ଓ ପ୍ରଶାସନ ବିରୋଧରେ ମତାଇ ଶାନ୍ତ ପରିବେଶକୁ ବିଗାଡ଼ିବା ପାଇଁ ପ୍ରୟାସ କରୁଛନ୍ତି।

Related Posts