ଓଏସ୍‌ସିପିସିଆର ଅଧ୍ୟକ୍ଷଙ୍କ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଖୋଲିବା ପ୍ରସ୍ତାବକୁ ଅଭିଭାବକ ମହାସଂଘର ବିରୋଧ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି। ଦୈନିକ ହଜାରେ ପାଖାପାଖି ସଂକ୍ରମଣ ରହୁଛି। ଗତ ୨୪ ଘଣ୍ଟାରେ ୯୮୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଗତ ୧୪ ତାରିଖ ଦିନ ଠାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶୂନରୁ ୧୮ ବର୍ଷ ମଧ୍ୟରେ ଶତାଧିକ ଶିଶୁ ଆକ୍ରାନ୍ତ ହେଉଥିବା ନେଇ ସୂଚନା ଦିଆଯାଉଛି। ତେବେ ଦ୍ବିତୀୟ ଲହର ଭୟାବହତା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ତୃତୀୟ ଲହରରେ ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। 

ତେବେ ଏହା ମଧ୍ୟରେ ପ୍ରାଥମିକ ବିଦ୍ୟାଳୟର ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିବାକୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସ୍‌ସିପିସିଆର) ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଥିବା ବେଳେ ଓଏସ୍‌ସିପିସିଆରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଓଡ଼ିଶା ଅଭିଭାବକ ମହାସଂଘ ଏଭଳି ପ୍ରସ୍ତାବକୁ ବିରୋଧ କରିଛି। ଛୁଆ ମାନଙ୍କ ପ୍ରତି ବିପଦ ରହିଥିବା ବେଳେ ଓଏସ୍‌ସିପିସିଆରର ଏଭଳି ପ୍ରସ୍ତାବ ଗ୍ରହଣୀୟ ନୁହେଁ ବୋଲି ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି।

ସୂଚନା ଥାଉକି ଓଏସ୍‌ସିପିସିଆର ଅଧ୍ୟକ୍ଷା ଗଣଶିକ୍ଷା ସଚିବଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ଗତ ୧୨ ତାରିଖରେ ଆକ୍ସନଏଡ୍‌ ଓ ୱାର୍ଲ୍ଡଭିଜନ ସହାୟତାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଗଣଶିକ୍ଷା ବିଭାଗର ଅଧିକାରୀମାନଙ୍କ ସମେତ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ସିଭିଲ୍‌ ସୋସାଇଟ୍‌, ବ୍ଲକ ଓ ଜିଲ୍ଲା ଶିକ୍ଷା ଅଧିକାରୀମାନେ ସାମିଲ ହୋଇ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତିକୁ ସ୍ବାଗତ କରିବା ସହ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ମତ ଦେଇଥିଲେ। 

ଆୟୋଗ ପ୍ରସ୍ତାବ ଦେଇଛନ୍ତି ଯେ ପ୍ରାଥମିକ ବଦଳରେ ୬ଷ୍ଠରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲାଯାଇପାରିବ। ପ୍ରତ୍ୟେକ ଶ୍ରେଣୀ ପାଇଁ ଅତି କମ୍‌ରେ ସପ୍ତାହକୁ ଦିନେ ଦୁଇ ଦିନ ବ୍ୟବଧାନରେ ଦେଢ଼ ଘଣ୍ଟା ଲେଖାଏଁ କ୍ଲାସ କରାଯାଉ। ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ ପରିଚାଳନା କମିଟି (ଏସ୍‌ଏମ୍‌ସି) ର ପରାମର୍ଶ ନିଆଯାଇ ଦିନ ଧାର୍ଯ୍ୟ ହେଉ ବୋଲି ଆୟୋଗ ପ୍ରସ୍ତାବ ଦେଇଛନ୍ତି। ଏହାସହ ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ ଓ କ୍ଲାସରୁମ୍‌ ପ୍ରସ୍ତୁତ କରିବା ପାଇଁ ଏସ୍‌ଏମ୍‌ସିଙ୍କ ଆବଶ୍ୟକତା ଅନୁଯାୟୀ ଅତିରିକ୍ତ ଅର୍ଥ ଦିଆଯାଉ। ଛାତ୍ରଛାତ୍ରୀଙ୍କୁ ଦୁର୍ଘଟଣାଜନିତ କ୍ଷତିପୂରଣ ଦେବା ପାଇଁ ୨୦୧୫ ରେ ବ୍ୟବସ୍ଥା କରାଯାଇଛି। ତେଣୁ ତାହାକୁ କୋଭିଡ୍‌ କ୍ଷେତ୍ରରେ ଲାଗୁ କରିବାକୁ ସେ ପରାମର୍ଶ ଦେଇଛନ୍ତି।

Related Posts