
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପରଲୋକରେ ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ସରଣ ନେଗୀ । ହିମାଚଳ ପ୍ରଦେଶର କାଲ୍ପା ସ୍ଥିତ ବାସଭବନରେ ୧୦୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ନେଗୀ। ଶେଷଥର ପାଇଁ ନଭେମ୍ବର ୨ ତାରିଖରେ ମତଦାନ କରିଥିଲେ ନେଗୀ ।
ଆସନ୍ତା ୧୨ ତାରିଖରେ ହେବାକୁ ଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ଗତ ୨ ତାରିଖରେ ପୋଷ୍ଟାଲ ବାଲାଟରେ ନିଜ ଭୋଟଦାନ କରିଥିଲେ ନେଗୀ ।ନେଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ନେଗୀଙ୍କ ଘରେ ରେଡ କାର୍ପେଟ ବିଛାଯିବା ସହ ତାଙ୍କ ଭୋଟଦାନର ବ୍ୟବସ୍ଥା କରାଯାଇଥିଲା। ପରେ ଜିଲ୍ଲା ନିର୍ବାଚନ ଅଧିକାରୀ ତାଙ୍କୁ ସମ୍ମାନିତ କରିଥିଲେ। ନେଗୀ ତାଙ୍କ ନିଜ ଜୀବନକାଳ ମଧ୍ୟରେ ୩୩ ଥର ଭୋଟଦାନ କରିଛନ୍ତି।
ନେଗୀଙ୍କ ଶେଷକୃତ ସମ୍ପନ୍ନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି।ଏଥିସହ ସମ୍ମାନପୂର୍ବକ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ ୧୯୧୭ରେ ଜନ୍ମିତ ଶ୍ୟାମ ସରଣ ନେଗୀ ୧୯୫୧ରେ ସ୍ୱାଧୀନ ଭାରତରେ ପ୍ରଥମ ଭୋଟ ଦେଇଥିଲେ।୧୯୪୭ରେ ଭାରତ ସ୍ୱାଧୀନତା ପାଇବା ପରେ ପ୍ରଥମ ଥର ପାଇଁ ୧୯୫୨ରେ ସାଧାରଣ ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା। କିନ୍ତୁ ପାଣିପାଗ ଖରାପ କାରଣରୁ ୧୯୫୧ରେ ପାଞ୍ଚ ମାସ ପୂର୍ବରୁ ହିମାଚଳର କିନ୍ନୋର ଜିଲ୍ଲାରେ ଭୋଟ୍ ଗ୍ରହଣ କରାଯାଇଥିଲା।
ସୂଚନା ଅନୁସାରେ, ୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭା ପାଇଁ ନଭେମ୍ବର ୧୨ ତାରିଖରେ ମତଦାନ ହେବ। ଡିସେମ୍ବର ୮ ତାରିଖରେ ଭୋଟ ଗଣତି ରହିଛି। ଏଠାରେ ମୁଖ୍ୟତଃ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଛି।