ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ବର୍ଷା ଓ ବନ୍ୟା ସମ୍ପର୍କରେ ପ୍ରେସ୍‌ମିଟ୍ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ସେ ସୂଚନା ଦେଇ କହିଛନ୍ତି, ଅବପାତ ପ୍ରଭାବରେ ମୟୁରଭଞ୍ଜ ଓ ବାଲେଶ୍ଵରରେ ପ୍ରବଳ ବର୍ଷା ହୋଇଛି । ଝାଡ଼ଖଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଯାହାଦ୍ୱାରା ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜରେ ୭ଟି ଗେଟ୍ ଖୋଲିଛନ୍ତି। ସେଠାରୁ ୧ ଲକ୍ଷ ୫ ହଜାର କ୍ୟୁସେକ ବନ୍ୟାଜଳ ଆସୁଛି । ଯାହାଦ୍ୱାରା ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବ। ମାତ୍ର ବନ୍ୟା ସମ୍ଭାବନା କମ୍ । ସେହିପରି ବୁଢ଼ାବଳଙ୍ଗରେ ବିଶେଷ ବନ୍ୟା ସ୍ଥିତି ନାହିଁ । କିନ୍ତୁ ଉଭୟ ନଦୀ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ବୈତରଣୀରେ ସେପରି ସମସ୍ୟା ନାହିଁ ବୋଲି କହିଛନ୍ତି ଏସଆରସି। ଏହାସହିତ ବନ୍ୟା ପ୍ରଭାବିତ ଅଞ୍ଚଳରେ ପାଣି ଛାଡ଼ିବା ଆରମ୍ଭ କରିଛି । ଲୋକେ ଘର ମୁହାଁ ହେଉଛନ୍ତି । ବନ୍ୟା ପରେ ପାନୀୟ ଜଳର ସମସ୍ୟାକୁ ଆଖି ଆଗରେ ରଖି ଜଗତସିଂହପୁର, ପୁରୀ, କେନ୍ଦ୍ରାପଡାରେ ପିଇବା ପାଣି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ହୀରାକୁଦର ଏବେ ୬ଟି ଗେଟ୍ ବନ୍ଦ କରାଯାଇଛି ଓ ୪ଟି ଗେଟ୍ ଖୋଲା ରହିଛି ବୋଲି ସୂଚନା ଦେଇଛନ୍ତି ଏସଆରସି ।

ସ୍ୱତନ୍ତ୍ର ରିଲିଫ କମିଶନର ଆହୁରି କହିଛନ୍ତି ଯେ, ଲଗାଣ ବର୍ଷା ଦ୍ୱାରା କାନ୍ଥ ପଡି ୩ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ଵରରେ ଜଣେ, ମୟୁରଭଞ୍ଜରେ ୨ ଜଣ, କେନ୍ଦୁଝରରେ ଜଣଙ୍କର ମୃତ୍ୟୁ ହୋଇଛି। ହୀରାକୁଦର ତଳମୁଣ୍ଡ ଅର୍ଥାତ ମହାନଦୀର ତଳମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । କନ୍ଧମାଳ,ବୌଦ୍ଧ ଓ କଳାହାଣ୍ଡିରେ ରାଜ୍ୟରେ ସବୁଠୁ ଅଧିକ ବୃଷ୍ଟିପାତ ହୋଇଛି । ଯାହାର ପ୍ରଭାବରେ ତେଲ ନଦୀରେ ବି ଅଧିକ ପାଣି ଆସିବାର ସମ୍ଭାବନା ରହିଛି । ଖାଇରମାଳ ତଳେ ଥିବା ଅନ୍ୟାନ୍ୟ ନଦୀ ଗୁଡ଼ିକରେ ବି ପାଣି ଆସିବ । ଯାହାଦ୍ୱାରା ମୁଣ୍ଡୁଳୀ ଠାରେ ୭.୫୦ ହଜାର କ୍ୟୁସେକ ବନ୍ୟାଜଳ ପାସ୍ କରିବ । ଏହା ୩୬ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ । ପାଣି ଯେତିକି ଆସୁଛି ତାହା ନଦୀ ଭିତରେ ହିଁ ରହିବ ବାହାରକୁ ଆସିବନି ।