
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନେପାଳ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଛାନେଙ୍କ ଅଡୁଆ ବଢିଛି । ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ସନ୍ଦୀପ ଲାମିଛାନେଙ୍କୁ ପୋଲିସ ଗିରଫ କରିଛି । ତେବେ ସନ୍ଦୀପ ନିଜ ଦେଶକୁ ଫେରିବା ପରେ ଗୁରୁବାର ସକାଳୁ ପୋଲିସ ତାଙ୍କୁ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଗିରଫ କରିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ନେପାଳର ଏହି କ୍ରିକେଟର ଜଣେ ୧୭ ବର୍ଷୀୟ ନାବାଳିକାକୁ କାଠମାଣ୍ଡୁର ଏକ ହୋଟେଲରେ ଦୁଷ୍କର୍ମ କରିଥିବାନେଇ ଅଭିଯୋଗ ହୋଇଥିଲା। ଏନେଇ ନାବାଳିକା ଜଣକ ଗୌଶାଳା ମହାନଗର ପୋଲିସ ସର୍କଲରେ ଏଫଆଇଆର କରିଥିଲେ । ଏଫଆଇଆରରୁ ମିଳିଥିବା ସୂଚନା ମୁତାବକ, ସନ୍ଦୀପ ଲାମିଛାନେ ନାବାଳିକା ଜଣଙ୍କୁ ଅଗଷ୍ଟ ୨୧ ତାରିଖରେ କାଠମାଣ୍ଡୁ ଓ ଭକ୍ତପୁରର ବିଭିନ୍ନ ସ୍ଥାନକୁ ନେଇଥିଲେ । ଏହାସହିତ ସେହିଦିନ ରାତିରେ ସେ ଏକ ହୋଟେଲରେ ଉକ୍ତ ନାବାଳିକା ସହ ଦୁଷ୍କର୍ମ କରିଥିଲେ ।
ସୂଚନାଯୋଗ୍ୟ ଯେ, ସନ୍ଦୀପ ଲାମିଛାନେ ନେପାଳ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ଅଟନ୍ତି । ଏହାସହିତ ସେ ଆଇପିଏଲ୍ ମଧ୍ୟ ଖେଳିସାରିଛନ୍ତି । ୨୦୧୮ ମସିହାରେ ସେ ଆଇପିଏଲ୍ ର ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ୍ ପକ୍ଷରୁ ଖେଳିଥିଲେ। ତେବେ ଗୁରୁବାର ସକାଳୁ ସନ୍ଦୀପ ଲାମିଛାନେ ନେପାଳ ଆସିବା ପୂର୍ବରୁ ଏକ ଫେସବୁକ୍ ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ସେ ନେପାଳ ଫେରୁଥିବା ନେଇ ସୂଚନା ଦେଇଥିଲେ । ତେବେ ମୋତେ ନିଶ୍ଚୟ ନ୍ୟାୟ ମିଳିିବ ଏବଂ ମୁଁ ଖୁବଶୀଘ୍ର ନିଜ ଦେଶ ପାଇଁ କ୍ରିକେଟରେ ଗୌରବ ଆଣିବି ବୋଲି ସେ ଏହି ପୋଷ୍ଟରେ ଲେଖିଥିଲେ ।