ଭୁବନେଶ୍ୱର,୧୩/୬(ସତ୍ୟପାଠ ବ୍ୟୁରୋ): ଗତକାଲି ବିଜେପିର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବା ସହ ଓଡ଼ିଶାରେ ଆରମ୍ଭ ହୋଇଛି ମୋହନ ସରକାର। ଗତକାଲି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ଚାରିଦ୍ଵାର ଖୋଲିବା ପ୍ରସ୍ତାବ ଉପରେ ମୋହର ମାରିଥିଲେ ମୁଖ୍ୟମନ୍ତ୍ରୀ ।
ଆଜି ରାଜ୍ୟରେ ବିଜେପି ସରକାରର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳ ପ୍ରାତଃରେ ମଙ୍ଗଳ ଆଳତି ସମୟରେ ଶ୍ରୀମନ୍ଦିରରେ ପହଞ୍ଚି ଭକ୍ତ ମାନଙ୍କ ପାଇଁ ଶ୍ରୀମନ୍ଦିରର ଚାରିଦ୍ୱାରା ଖୋଲିବା ସହ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଓ ନୂତନ ମନ୍ତ୍ରିପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଛି ଶ୍ରୀମନ୍ଦିରର ୪ଦ୍ୱାର।
ସୂଚନା ଅନୁସାରେ, କାଲି ରାତିରୁ ଦଳର ସମସ୍ତ ନେତା ତଥା ସାଂସଦ ପୁରୀରେ ଉପସ୍ଥିତ ରହି ଚାରିଦ୍ଵାର ଖୋଲାଯିବାର ସମସ୍ତ ଦିଗକୁ ନେଇ ସମିକ୍ଷା କରିଥିଲେ । ସକାଳୁ ସକାଳୁ ଦଳର ସମସ୍ତ ନେତା ଓ ସାଂସଦ ଶ୍ରୀମନ୍ଦିର ସମ୍ମୁଖରେ ଉପସ୍ଥିତ ଥିଲେ । ଏହାପରେ ବିଧିବଦ୍ଧ ଭାବରେ ଖୋଲାଯାଇଛି ଶ୍ରୀମନ୍ଦିରର ଚାରିଦ୍ଵାର । ସେପଟେ ପୁରୀରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା । ପ୍ରଥମେ ମନ୍ଦିର ଭିତରକୁ ଯାଇ ମଙ୍ଗଳ ଆଳତୀ ଦେଖିବା ସହ ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିଥିଲେ ମୁଖ୍ୟମନ୍ତ୍ରୀ ।
ସୂଚନାଯୋଗ୍ୟ ଯେ, କୋଭିଡ ପୂର୍ବରୁ ଶ୍ରୀମନ୍ଦିର ୪ଦ୍ଵାର ଭକ୍ତଙ୍କ ପାଇଁ ଉନ୍ମୁକ୍ତ ଥିଲା । କିନ୍ତୁ କୋଭିଡ୍ ବେଳେ ଭକ୍ତଙ୍କ ପାଇଁ ୪ ଦ୍ଵାର ବନ୍ଦ ରଖିଥିଲେ ପୂର୍ବତନ ରାଜ୍ୟ ସରକାର । ୨୦୨୧ ନଭେମ୍ବର ୨୪ରେ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ପରେ ବନ୍ଦ ହୋଇଥିଲା ଶ୍ରୀମନ୍ଦିରର ୩ଟି ଦ୍ଵାର । ୨୦୨୨ ଫେବୃଆରୀ ୩ରେ କେବଳ ସିଂହଦ୍ଵାର ଦେଇ ପ୍ରବେଶ କରିବାକୁ ଅନୁମତି ଦେଲେ ସରକାର । କେବଳ ଗୋଟିଏ ଦ୍ଵାର ଦେଇ ଭକ୍ତ ଯାଉଥିବାରୁ ଅକଥନୀୟ ଯନ୍ତ୍ରଣା ଭୋଗୁଥିଲେ ଭକ୍ତ । କିନ୍ତୁ ସବୁଠାରୁ ବେଶି କଷ୍ଟ ଭୋଗୁଥିଲେ ପୁରୀବାସୀ ଏବଂ ମଠ ମନ୍ଦିର ଅନ୍ତେବାସୀ । ଏହାପରେ ୪ଦ୍ଵାର ଖୋଲିବା ପ୍ରସଙ୍ଗକୁ ନେଇ ରାଜ୍ୟସରକାରଙ୍କୁ ଘେରିଥିଲେ ଜନତା ଓ ବିରୋଧି ନେତା । ପୁରୀ ବାସିନ୍ଦା, ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ଅନେକ ଥର ବିଭିନ୍ନ ଯାଗାରେ ବନ୍ଦ ପାଳନ ମଧ୍ୟ କରାଯାଇଥିଲା । କିନ୍ତୁ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଶ୍ରୀମନ୍ଦିର ଚାରଦ୍ୱାର ଖୋଲିବା ନେଇ ମାନିଫେଷ୍ଟୋରେ ଘୋଷଣା କରିଥିଲା ବିଜେପି । ଏହାପରେ ନିଜର କଥା ରଖି ନିର୍ବାଚନରେ ବହୁମତ ଜିତିବା ପରେ ସରକାର ଗଢିଥିବା ବିଜେପି ସରକାର କାଲି ଏହି ଘୋଷଣା କରିବା ସହ ଆଜି ସକାଳୁ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିଛନ୍ତି ।