ଦେଶରେ ମାର୍ଚ୍ଚରେ ଆସିବ କୋଭିଡ୍‌ର ଚତୁର୍ଥ ଲହର !, ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୪/୧(ସତ୍ୟପାଠ ବ୍ୟୁରୋ): ଦେଶରେ ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଆସିପାରେ କୋଭିଡ୍‌ର ଚତୁର୍ଥ ଲହର । ତେଣୁ ରାଜ୍ୟବାସୀ ସତର୍କ ରହିବା ଲାଗି ପରାମର୍ଶ ଦେଉଛି ସ୍ବାସ୍ଥ୍ୟ ବିଭାଗ। ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡା. ଅଜିତ ମହାନ୍ତି ଏନେଇ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ପକ୍ଷରୁ କୋଭିଡ୍‌ ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଓଡ଼ିଶାକୁ ଯଦି କିଏ ବିଦେଶରୁ ଫେରିଛନ୍ତି ବା ବିଦେଶୀଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଟେଷ୍ଟ କରାଇ ନିଅନ୍ତୁ । ଟେଷ୍ଟ୍‌ ରିପୋର୍ଟ ଆସିଲା ପର୍ଯ୍ୟନ୍ତ ନିଜକୁ ସଂଗରୋଧରେ ରଖନ୍ତୁ । ଜନସାଧାରଣଙ୍କୁ ଟେଷ୍ଟ, ଟ୍ରାକ୍‌, ଟ୍ରିଟ୍‌, ଭାକ୍ସିନେସନ୍‌ ଓ ସାମାଜିକ ଦୂରତା ରଖିବା ଆଦି ୫ ଦିଗ ଉପରେ ପାଳନ କରିବାକୁ ପଡ଼ିବ ।

ରାଜ୍ୟ ସରକାର ବିଶ୍ୱକପ୍‌ ହକି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ବିଶ୍ୱକପ୍‌ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ କରାଯିବ । କୋଭିଡ୍‌ ନିୟମ ପାଳିବା ଦିଗରେ ବିଦେଶୀଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । ଭାରତରେ ଆଇସିଏମ୍‌ଆର୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ କରୋନା ନିୟମ ପାଳନ କରାଯିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ୭୨ ଘଣ୍ଟା ଭିତରେ ଆର୍‌ଟିପିସିଆର କୋଭିଡ୍‌ ସାର୍ଟିଫିକେଟ୍‌କୁ ବାଧ୍ୟତାମୂଳକ କରାଯାଇଛି । ୬ଟି ଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଆର୍‌ଟିପିସିଆର ଟେଷ୍ଟ କରାଯିବ । ଯେଉଁମାନେ ପଜିଟିଭ୍‌ ଚିହ୍ନଟ ହେବେ, ସେମାନଙ୍କୁ ସଂଗରୋଧରେ ରଖାଯିବ । ୨୪ ଘଣ୍ଟାରେ ଚୀନ୍‌ରେ ୩ ଲକ୍ଷରୁ ଅଧିକ ଓ ଭାରତରେ ୧୭୩ ନୂଆ କେସ୍‌ ଚିହ୍ନଟ ହୋଇଛି ।
ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୨ଟି ପଜିଟିଭ କେସ୍‌ ଚିହ୍ନଟ ହୋଇଛି । କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରୁ ଗୋଟିଏ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସର୍ଭେ ଅନୁସାରେ ଚୀନ୍‌ରେ କୋଭିଡ୍‌ ସଂକ୍ରମଣ ଏପର୍ଯ୍ୟନ୍ତ ଶୀର୍ଷକୁ ଆସିନାହିଁ । ଜାନୁଆରୀ ୧୩ରୁ ୧୫ ତାରିଖ ମଧ୍ୟରେ ଶୀର୍ଷକୁ ଆସିବ । ଦୈନିକ ୭ ଲକ୍ଷ ସଂକ୍ରମିତ ହେବେ । ଶୀର୍ଷ ଛୁଇଁବା ସମୟରେ ଚୀନ୍‌ରେ ଦୈନିକ ୨୫ ହଜାର ପର୍ଯ୍ୟନ୍ତ ମୃତ୍ୟୁ ଘଟିପାରେ । ସେହି ହିସାବରେ ଭାରତରେ ମାର୍ଚ୍ଚ ୨ୟ କିମ୍ବା ୩ୟ ସପ୍ତାହରେ ଚତୁର୍ଥ ଲହର ଆସିପାରେ । କେସ୍‌ ସାମାନ୍ୟ ବଢ଼ିପାରେ । ସେଥିପାଇଁ ଗହଳି ଜାଗାକୁ ଯାଉଥିଲେ ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି ।

ଡାକ୍ତର ମହାନ୍ତି ଆହୁରି କହିଛନ୍ତି ଯେ, ଭାରତରେ ୯୦% ଲୋକ ଡବଲ ଡୋଜ୍‌ ଟିକା ନେଇଛନ୍ତି । ହେଲେ ମାତ୍ର ୪୦% ବୁଷ୍ଟର ଡୋଜ୍‌ ନେଇଛନ୍ତି । ବାକି ଲୋକେ ଯଥାଶୀଘ୍ର ବୁଷ୍ଟର ଡୋଜ୍‌ ନେଇଯାଆନ୍ତୁ । ଯେଉଁମାନେ ଡବଲ ଡୋଜ୍‌ ନେଇସାରିଥିବେ, ନାଜାଲ୍‌ ଭାକ୍ସିନ୍‌ ନେଇପାରିବେ । ବିଶେଷ ଭାବେ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ଚୀନ୍‌, ଜାପାନ ସମେତ କରୋନା ସଂକ୍ରମିତ ରାଷ୍ଟ୍ରରୁ ଆସୁଥିବା ଲୋକଙ୍କ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ ରହିଛି । ଏବେ ହକି ବିଶ୍ୱକପ୍‌ ଥିବାରୁ ଝାରସୁଗୁଡ଼ା, ଖୋର୍ଦ୍ଧା, କଟକ ଓ ସୁନ୍ଦରଗଡ଼ରେ ଅଧିକ ଜନସମାଗମ ହେବ । ତେଣୁ ଏସବୁ ଜିଲ୍ଲାରେ କୋଭିଡ୍‌ ନିୟମ କଡ଼ାକଡ଼ି ଭାବେ ପାଳନ ହେବ । କୋଭିଡ୍‌ର ସମ୍ଭାବ୍ୟ ଚତୁର୍ଥ ଲହର ବିଦେଶରେ ଦ୍ରୁତଗତିରେ ମାଡ଼ିଚାଲିଛି । ଚୀନ୍‌ର ଏପରି ଅବସ୍ଥା ଦେଖି ଭାରତ ସରକାର ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି ।

Related Posts