ଜୁଲାଇରେ ଆସିବ ଚତୁର୍ଥ ଲହର !

ନୂଆଦିଲ୍ଲୀ : ଦେଶରେ ଏବେ ଦିନକୁ ଦିନ କରୋନା ସଂକ୍ରମଣର ଦୈନିକ ସଂକ୍ରମଣ ହାର ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି । ଦେଶରେ ଦୋଳି ଖେଳୁଥିବା ସଂକ୍ରମଣ ଏବେ ଉପରମୁହା ରହିଛି । ସଂକ୍ରମଣ ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାକୁ ଲାଗିଛି । ବର୍ତ୍ତମାନ ଦୈନିକ କୋଭିଡ ପଜିଟିଭିଟି ହାର ୪.୩୯ ପ୍ରତିଶତରେ ପହଞ୍ଚିଛି । ସାପ୍ତାହିକ ପଜିଟିଭିଟି ହାର ୩.୩୦%କୁ ବୃଦ୍ଧି ପାଇଛି । ଦେଶରେ ଗତ ୨୪ ଘଣ୍ଟାରେ ୧୫,୯୪୦ ଲୋକ ସଂକ୍ରମିତ ହୋଇଛନ୍ତି । ୧୨,୪୨୫ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ଦିନକରେ ୩,୪୯୫ ବଢ଼ି ୯୧,୭୭୯ରେ ପହଞ୍ଚିଛି । ୨୪ ଘଣ୍ଟାରେ ୨୦ ରୋଗୀ ପ୍ରାଣ ହରାଇଛନ୍ତି । ଫଳରେ ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ୫,୨୪,୯୭୪ ଛୁଇଁଛି । ପୂର୍ବଦିନ ୧୭,୩୩୬ ନୂଆ ମାମଲା ଚିହ୍ନଟ ହୋଇଥିଲା । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଶେଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି । ଜୁଲାଇରେ ଚତୁର୍ଥ ଆସିବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ମୁତାବକ ୫ ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି । ଦୈନିକ କୋଭିଡ ପଜିଟିଭିଟି ହାର ଏହି ରାଜ୍ୟଗୁଡ଼ିକରେ ୮% ସେପଟେ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୪,୨୦୫ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୩,୭୫୨ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ୪୫୦ ବଢ଼ି ୨୫,୩୧୭ ଛୁଇଁଛି । ଗତ ୨୪ ଘଣ୍ଟାରେ ଏଠାରେ ୩ ଆକ୍ରାନ୍ତ ରୋଗୀ ପ୍ରାଣ ହରାଇଛନ୍ତି ।

କେରଳରେ ୩,୯୮୧ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୩,୦୪୪ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ୯୨୬ ବଢ଼ି ୨୬,୮୩୭ ହୋଇଛି । କେରଳରେ ସର୍ବାଧିକ ୧୧ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । ଦିଲ୍ଲୀରେ ୧,୪୪୭ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧,୬୯୪ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ୨୪୮ କମି ୫,୫୦୭ ହୋଇଛି । ତାମିଲନାଡୁରେ ସଂକ୍ରମଣ ବେଶ୍‌ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ୧,୩୫୯ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୬୨୧ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସକ୍ରିୟ ମାମଲା ୭୩୮ ବଢ଼ି ୫,୯୧୨ ହୋଇଛି ।

କର୍ଣ୍ଣାଟକରେ ୮୧୬ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୬୫୭, ଗୁଜରାଟରେ ୩୮୦, ହରିଆଣାରେ ୬୫୧, ଗୋଆରେ ୧୪୯, ପଞ୍ଜାବରେ ୧୫୦ ଓ ବିହାରରେ ୧୫୨ ନୂଆ ମାମଲା ଚିହ୍ନଟ ହୋଇଛି । ଏହାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ କହିଛନ୍ତି ଯେ ଦେଶରେ ଜୁଲାଇରେ କରୋନା ମହାମାରୀର ଚତୁର୍ଥ ଲହର ଆସିବ । ଯାହା କି ଅକ୍ଟୋବର ଯାଏ ବଳବତ୍ତର ରହିବ । ଅଗଷ୍ଟରେ ଏହି ଲହର ଶୀର୍ଷ ସ୍ତର ଛୁଇଁବ।

Related Posts