ରୁଷ ବିରୋଧରେ ଲଢ଼େଇ ପାଇଁ ହତିଆର ଉଠାଇଲେ ୟୁକ୍ରେନର ସାଧାରଣ ଜନତା

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଚାରି ଦିନ ଧରି ଯୁଦ୍ଧ ଚାଲିଛି । ଏହି ଯୁଦ୍ଧରେ ଅନେକ ଲୋକ ପ୍ରାଣ ମଧ୍ୟ ହରାଇ ସାରିଲେଣି । ଏହା ମଧ୍ୟରେ ୟୁକ୍ରେନର ସାଧାରଣ ଜନତା ରୁଷ ବିରୋଧରେ ଲଢ଼େଇ କରିବାକୁ ହତିଆର ଉଠାଇଥିବାର ଖବର ସାମ୍ନାକୁ ଆସିଛି । ତେବେ ଯଦି ତାଙ୍କ ସହର ରୁଷ ହାତକୁ ଚାଲିଯାଏ ତେବେ ସେମାନେ ଚୁପ ହୋଇ ବସିବେ ନାହିଁ ବୋଲି କହିଛନ୍ତି। ଯଦିଓ ୟୁକ୍ରେନର ଆର୍ମି ସେମାନଙ୍କ ରକ୍ଷା ପାଇଁ ପ୍ରସ୍ତୁତ ତଥାପି ବିପଦ ବଢିଲେ ଘରର ଝରକାରୁ ଫାୟରିଂ କରିବାକୁ ସେଠାକାର ଜନତା ପ୍ରସ୍ତୁତ ହୋଇ ରହିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ୟୁକ୍ରେନରେ ଗରିଲା ଯୁଦ୍ଧର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ରୁଷ ସେନା ପଶି ସାରିଥିବା ବେଳେ ଏହାର ଜବାବ ଦେବାକୁ ଅଣ୍ଟା ଭିଡିଲେଣି ସ୍ଥାନୀୟ ଲୋକେ। ୟୁକ୍ରେନବାସୀଙ୍କ କହିବା କଥା ରୁଷର ସେନା କିଭ ଏବଂ ଖାରକିଭରେ ପଶି ସାରିଛନ୍ତି।

ଆଉ ସହରମୁହାଁ ହେଲାଣି ରୁଷ ଟ୍ୟାଙ୍କ। ରୁଷର ଯୋଜନା କିଭ ଉପରେ କବଜା କରିବା। ଅନ୍ୟପଟେ ୟୁକ୍ରେନବାସୀଙ୍କ କହିବା କଥା ସେମାନେ ଲଢିବାକୁ ମାନସିକ ଭାବେ ପ୍ରସ୍ତୁତ ହୋଇ ସାରିଛନ୍ତି। ହାତରେ ହତିଆର ଉଠାଇଲେଣି। ଦେଶର ରକ୍ଷା କରିବା ପାଇଁ ସେମାନେ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ୟୁକ୍ରେନ ନାଗରିକ। ୪୮ ଘଣ୍ଟା ପୂର୍ବରୁ ଯେଉଁ ୟୁକ୍ରେନ ଦୁର୍ବଳ ହେବାରେ ଲାଗିଥିଲା, ସେ ପୁଣି ଉଠି ଛିଡା ହେଲାଣି। କାରଣ ୟୁକ୍ରେନରେ ଯେଉଁଭଳି ସ୍ଥିତି ସୃଷ୍ଟି ହେଲାଣି ତାକୁ ଦେଖି ଲାଗୁଛି ଏହି ଲଢେଇ ଏବେ ଗରିଲା ଯୁଦ୍ଧ ଆଡକୁ ଗତି କରୁଛି। ରାଜଧାନୀ କିଭ୍ ସମେତ ଅନ୍ୟ ସହରରେ ଏହି ଲଢେଇ ଗରିଲାର ରୂପ ନେଇପାରେ। କାରଣ ସେଠାକାର ଲୋକେ ଉଠାଇ ସାରିଲେଣି ହତିଆର। ଉଲ୍ଲେଖନୀୟ ଗରିଲା ଲଢେଇରେ କୌଣସି ସଂଗଠନ ରହିନଥାଏ, ଲୋକେ ଛୋଟ ଛୋଟ ଗୋଷ୍ଠୀ କରି ଲଢେଇ କରିଥାନ୍ତି।

Related Posts