ଗୋଆରେ ପୋଲିଂ ଡେ’କୁ ପବ୍ଲିକ ହଲି ଡେ’ ଭାବେ ଘୋଷଣା କଲେ ଗୋଆ ସରକାର

ଗୋଆ(ସତ୍ୟପାଠ ବ୍ୟୁରୋ): ଦେଶର ୫ଟି ରାଜ୍ୟରେ ଏଥର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ରାଜନୈତିକ ଦଳମାନେ ଜୋରଦାର ପ୍ରଚାର କରିବା ସହ ନିଜର ଶକ୍ତିପ୍ରଦର୍ଶନ କରିବାରେ ଲାଗିଛନ୍ତି । ସେପଟେ ଫେବୃଆରୀ ୧୪ ତାରିଖରେ ଗୋଆରେ ଭୋଟ ଗ୍ରହଣ କରାଯିବ । ଏହାକୁ ଦୃଷ୍ଟିରେ ରଖି ଗୋଆ ସରକାର ଫେବୃଆରୀ ୧୪ କୁ “ପବ୍ଲିକ ହଲିଡେ” ଭାବରେ ଘୋଷଣା କରିଛନ୍ତି। ଅର୍ଥାତ ‘ପୋଲିଂ ଡେ’ରେ ଗୋଆରେ ‘ପବ୍ଲିକ ହଲିଡେ’ ହେବାକୁ ଯାଉଛି । ଗୋଆ ସରକାର ଏକ ସରକାରୀ ବିବୃତ୍ତିରେ କହିଛନ୍ତି ଯେ ଫେବୃଆରୀ ୧୪ ନିର୍ବାଚନି ଦିନକୁ ସାଧାରଣ ଛୁଟି ଦିନ ଭାବରେ ଗ୍ରହଣ କରାଯିବ । ଏପରିକି ଏହା ଉଭୟ ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ପାଇଁ ‘ପେଡ ହଲିଡେ’ ହେବ ବୋଲି ମଧ୍ୟ ଘୋଷଣା କରାଯାଇଛି । ଅର୍ଥାତ ଗୋଆରେ ଶିଳ୍ପ ଶ୍ରମିକ, ସରକାରୀ ବିଭାଗ ଏବଂ ରାଜ୍ୟ ସରକାରୀ ଶିଳ୍ପ ବିଭାଗର ଦୈନିକ ମଜୁରୀ କର୍ମଚାରୀ, ଗୋଆରେ ଘରୋଇ ପ୍ରତିଷ୍ଠାନର ବାଣିଜ୍ୟିକ ଏବଂ ଶିଳ୍ପ କର୍ମଚାରୀ, ସମସ୍ତ ଘରୋଇ ପ୍ରତିଷ୍ଠାନର ଶ୍ରମିକ, ଯେ କୌଣସି ବ୍ୟବସାୟରେ ନିୟୋଜିତ ଦୈନିକ ମଜୁରିଆ, କାଜୁଆଲ୍ ଶ୍ରମିକଙ୍କ ପାଇଁ ଏହା ପେଡ ହଲିଡେ ହେବ ।

ଅନ୍ୟପଟେ ଫେବୃଆରୀ ୧୪ ରେ ରାଜ୍ୟରେ ବିଧାନସଭାର ୪୦ ଜଣ ସଦସ୍ୟଙ୍କୁ ଚୟନ କରିବା ପାଇଁ ମତଦାନ ଅନୁଷ୍ଠିତ ହେବ ଏବଂ ମାର୍ଚ୍ଚ ୧୦ ରେ ଭୋଟ୍ ଗଣତି ହେବ। ମୋଟ ୩୩୨ ଜଣ ପ୍ରାର୍ଥୀ ଗୋଆରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭାଗ ନେଇଛନ୍ତି। ଚଳିତ ବର୍ଷ ଗୋଆ ବିଧାନସଭା ନିର୍ବାଚନ ପାଇଁ ଗ୍ରହଣ କରାଯାଇଥିବା ମୋଟ ନାମାଙ୍କନ ୫୮୭ ଥିଲା। ବର୍ତ୍ତମାନ ଉପକୂଳବର୍ତ୍ତୀ ରାଜ୍ୟରେ ଚଳିତ ବର୍ଷର ସର୍ଭେରେ ଚାରିଜଣ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଅଛନ୍ତି । ସେମାନେ ହେଲେ ଶାସକ ଭାରତୀୟ ଜନତା ପାର୍ଟି, କଂଗ୍ରେସ ପାର୍ଟି, ଆମ୍ ଆଦମୀ ପାର୍ଟି, ଏବଂ ତୃଣମୂଳ କଂଗ୍ରେସ । ବର୍ତ୍ତମାନ ଦେଖିବାର ବିଷୟ ଏଥର କ୍ଷମତାକୁ କିଏ ଆସୁଛି ।

Related Posts