ସରକାର ଆଲୋଚନା ମାଧ୍ୟମରେ ଚାଷୀ ଆନ୍ଦୋଳନ ସମାପ୍ତ କରି ପାରନ୍ତି, ନଚେତ୍ ଲାଠି କିମ୍ବା ଗୁଳି ଚଳାଇ ପାରନ୍ତି : ରାକେଶ ଟିକାୟତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ବିବାଦୀୟ ନୂତନ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ଏବେ ବି ଜାରି ରହିଛି।  ଏହି ତିନି କୃଷି ଆଇନକୁ ରଦ୍ଦ କରିବା ପାଇଁ ଚାଷୀ ମାନେ ଜିଦ୍ ଧରିଛନ୍ତି। ଏପଟେ  ଗୁରୁବାର ଦିନ କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପୁଣି ଥରେ କୃଷକ ସଂଗଠନ ମାନଙ୍କୁ ନିବେଦନ କରିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରୁଥିବା ଚାଷୀଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଆଇନ ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। କେନ୍ଦ୍ର କୃଷି ମନ୍ତ୍ରୀଙ୍କ ବୟାନ ପରେ ଭାରତ କିସନ ୟୁନିଅନର ନେତା ରାକେଶ ଟିକାୟତ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।  ସେ କହିଛନ୍ତି ଯେ ସରକାର ଯେତେବେଳେ ଚାହିଁବେ ସେତେବେଳେ ଆନ୍ଦୋଳନ ଶେଷ କରିପାରିବେ, ଏ ସବୁ ସରକାରଙ୍କ ହାତରେ ଅଛି ବୋଲି ରାକେଶ ଟିକାୟତ କହିଛନ୍ତି। 

ଆନ୍ଦୋଳନ ଶେଷ କରିବା ସରକାରଙ୍କ ଉପରେ ନିର୍ଭର 

ଭାରତ କିସନ ୟୁନିଅନର ରାକେଶ ଟିକାୟତ୍ କହିଛନ୍ତି, ” ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ କିନ୍ତୁ ଏଥିପାଇଁ କୌଣସି ସର୍ତ୍ତ ନରହିବା ଆବଶ୍ୟକ। ସରକାର ଯେତେବେଳେ ଚାହିଁବେ  ସେତେବେଳେ ଆଲୋଚନା କରି ପାରିବେ। ସରକାର  ଯେ ପର୍ଯ୍ୟନ୍ତ ଚାହୁଁଥିବା ସେ ପର୍ଯ୍ୟନ୍ତ ଏ ଆନ୍ଦୋଳନ ଚାଲିବ।  ଏହି ଆନ୍ଦୋଳନ ଆମ ହାତରେ ନୁହେଁ ବରଂ ସରକାରଙ୍କ ହାତରେ ଅଛି। ଆଲୋଚନା କରି ହେଉ କି ଲାଠିରେ କିମ୍ବା ଗୁଳି ମାରି ସରକାର ଏ ଆନ୍ଦୋଳନକୁ ସମାପ୍ତ କରି ପାରିବେ। 

    ଏହାପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ କୃଷି ରାଜ୍ୟ ମନ୍ତ୍ରୀ ଶୋଭା କରାନ୍ଦଲେଜେ କହିଛନ୍ତି ଯେ ସରକାର ପ୍ରତ୍ୟେକ ପ୍ରସଙ୍ଗରେ କୃଷକଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ।  ଗଣମାଧ୍ୟମ ସହ ଆଲୋଚନା ସମୟରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ‘ଆପଣଙ୍କ ମାଧ୍ୟମରେ ମୁଁ କୃଷକ ସଂଗଠନକୁ ନିବେଦନ କରିବାକୁ ଚାହୁଁଛି ଯେ ଏହି ପ୍ରସଙ୍ଗଗୁଡିକ ଉପରେ ଗୁରୁତ୍ବପୂର୍ଣ୍ଣ ଭାବରେ ବିଚାର କରନ୍ତୁ ଏବଂ ବିରୋଧ ବନ୍ଦ କରନ୍ତୁ।  ସେମାନେ ଆଲୋଚନାର ପଥ ଅନୁସରଣ କରିବା ଉଚିତ ଏବଂ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ସୂଚନାଯୋଗ୍ୟ ଯେ ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ କୃଷକ ନେତାମାନେ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରୁଛନ୍ତି ଯେ ଯଦି ସରକାର ସେମାନଙ୍କ ସହ ଆଲୋଚନା ନକରନ୍ତି ତେବେ ସେମାନେ ସଂସଦକୁ ଘେରାଉ କରିବେ। ଏଭଳି ପରିସ୍ଥିତିରେ ସରକାରଙ୍କ ପାଇଁ ମଧ୍ୟ ଏହା ସହଜ ହେବ ନାହିଁ।  ସଂଯୁକ୍ତ କିସାନ୍ ମୋର୍ଚା ଏକ ସାମ୍ବାଦିକ ସମ୍ମିଳନୀରେ କହିଛି ଯେ ମୌସୁମୀ ଅଧିବେଶନ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ସମସ୍ତ ବିରୋଧୀ ଦଳର ସାଂସଦ ମାନଙ୍କୁ ଗୃହ ଭିତରେ କୃଷି ଆଇନକୁ ବିରୋଧ କରିବା ପାଇଁ ‘ଚେତାବନୀ ପତ୍ର’ ଦିଆଯିବ।  ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ ରୁ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ପ୍ରତ୍ୟେକ ଦିନ ୨୦୦ ଚାଷୀ ସଂସଦ ବାହାରେ ବିରୋଧ ପ୍ରଦର୍ଶନ କରିବେ ବୋଲି ଘୋଷଣା କରିଛନ୍ତି। 

Related Posts