କୃଷି ଆଇନ ବିରୋଧରେ ଆନ୍ଦୋଳନରେ ପ୍ରାଣ ହରାଇଥିବା କୃଷକଙ୍କ କୌଣସି ତଥ୍ୟ ସରକାରଙ୍କ ପାଖରେ ନାହିଁ , ସାଂସଦରେ ସୂଚନା ଦେଲେ କୃଷି ମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୁଦ୍ଧରେ 2020 ମସିହାରୁ ଦିଲ୍ଲୀ ସୀମାରେ କୃଷକ ମାନେ ଆନ୍ଦୋଳନ କରି ଆସୁଛନ୍ତି। ଏହା ମଧ୍ୟରେ ଆଠ ମାସରୁ ଅଧିକ ସମୟ ବିତିଗଲାଣି। ଖରା, ବର୍ଷା ଶୀତ ସହି ଚାଷୀ ମାନେ ଧାରଣା ଜାରି ରଖିଛନ୍ତି। ତେବେ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା କୃଷକଙ୍କ ବାବଦରେ କେନ୍ଦ୍ର ସରକାରଙ୍କ ପାଖରେ କୌଣସି ରେକର୍ଡ ନାହିଁ । ଏ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଶୁକ୍ରବାର ସଂସଦରେ ସୂଚନା ଦେଇଛନ୍ତି।

ତୋମାର ଏହା ମଧ୍ୟ କହିଛନ୍ତି ଯେ ୩ କୃଷି ନିୟମକୁ ନେଇ କୃଷକଙ୍କ ମନରେ ଥିବା ଆଶଙ୍କା ଜାଣିବା ପାଇଁ ସରକାର କୌଣସି ଅଧ୍ୟୟନ କରିନାହାଁନ୍ତି।

ମୁଖ୍ୟତଃ ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶରୁ ଆସିଥିବା ହଜାର ହଜାର କୃଷକ ଏହି ତିନି ନିୟମକୁ ବିରୋଧ କରି ଆଠ ମାସ ଧରି ଦିଲ୍ଲୀ ସୀମାରେ କ୍ୟାମ୍ପ କରିଛନ୍ତି। ଏଥିମଧ୍ୟରୁ 200 କୃଷକଙ୍କ ଏକ ଛୋଟ ଟିମ୍ ବର୍ତ୍ତମାନ ସ୍ୱତନ୍ତ୍ର ଅନୁମତି ପାଇବା ପରେ ଦିଲ୍ଲୀର ଜନ୍ତର ମନ୍ତରରେ କୃଷକ ସଂସଦ ଆୟୋଜନ କରୁଛନ୍ତି । ମୌସୁମୀ ଅଧିବେଶନ ଚାଲିଥିବା ବେଳେ କୃଷକମାନେ ନିଜର ଦାବି ଉପସ୍ଥାପନ ପାଇଁ ବିରୋଧୀଙ୍କୁ ଅପିଲ କରିଛନ୍ତି।

2020 ମସିହାରୁ କୃଷି ଆଇନ ବିରୁଦ୍ଧରେ ହୋଇଥିବା ପ୍ରତିବାଦରେ ନିହତ ହୋଇଥିବା ମୋଟ ଚାଷୀଙ୍କ ବିଷୟରେ ସରକାର ଅବଗତ ଅଛନ୍ତି କି ବୋଲି ପଚରାଯାଇଥିବା ବେଳେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ଯେ ଭାରତ ସରକାରଙ୍କ ପାଖରେ ସେପରି କୌଣସି ତଥ୍ୟ ନାହିଁ।

ରାଜ୍ୟସଭାରେ ତାଙ୍କ ଲିଖିତ ଉତ୍ତରରେ ସେ କହିଛନ୍ତି ଯେ, କୃଷକ ସଂଗଠନ ସହ ଆଲୋଚନା ବେଳେ କେନ୍ଦ୍ର ସରକାର ସେମାନଙ୍କୁ ନିବେଦନ କରିଛନ୍ତି ଯେ ସେହି ସମୟରେ ଥଣ୍ଡା ଏବଂ COVID-19 ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିଶୁ , ବୃଦ୍ଧ , ବିଶେଷକରି ମହିଳାମାନଙ୍କୁ ଘରକୁ ପଠାଇ ଦିଅନ୍ତୁ।ତୋମର ଆହୁରି ମଧ୍ୟ କହିଛନ୍ତି ଯେ , ଏହି କୃଷି ଆଇନ ଯୋଗୁଁ ଚାଷୀଙ୍କ ମନରେ ସୃଷ୍ଟି ହୋଇଥିବା ଭୟର କାରଣ ଜାଣିବା ପାଇଁ କୌଣସି ଅଧ୍ୟୟନ କରାଯାଇ ନାହିଁ।

କୃଷକମାନଙ୍କ ସମସ୍ୟା ପ୍ରତି ସରକାର ଗମ୍ଭୀର ଓ ସମ୍ବେଦନଶୀଳ ବୋଲି ଦର୍ଶାଇ ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର କୃଷକ ସଂଗଠନଗୁଡ଼ିକ ସହିତ ସକ୍ରିୟ ଆଲୋଚନାରେ ନିୟୋଜିତ ଅଛନ୍ତି।

ସେ କହିଛନ୍ତି ଯେ ଏହି ସମସ୍ୟାର ସମାଧାନ ପାଇଁ ସରକାର ଏବଂ ଆନ୍ଦୋଳନକାରୀ କୃଷକ ସଂଗଠନ ମଧ୍ୟରେ ଏପର୍ଯ୍ୟନ୍ତ 11 ରାଉଣ୍ଡ ଆଲୋଚନା ହୋଇଛି। ସମସ୍ତ ରାଉଣ୍ଡ ଆଲୋଚନାରେ ସରକାର ଗୁରୁତ୍ୱାରୋପ କରିଛନ୍ତି ଯେ ଆଇନ ରଦ୍ଦ କରିବାକୁ ଜିଦ୍ କରିବା ପରିବର୍ତ୍ତେ କୃଷକ ସଂଗଠନମାନେ ନିର୍ଦ୍ଦିଷ୍ଟ ଧାରା ଉପରେ ସେମାନଙ୍କର ମତ ଉପରେ ଆଲୋଚନା କରିବା ଉଚିତ ଯାହା ଦ୍ବାରା ସେମାନଙ୍କର ସମସ୍ୟାର ସମାଧାନ ହୋଇପାରିବ।

“ଅନେକ ରାଉଣ୍ଡ ବିଚାର ବିମର୍ଶ ସମୟରେ ସରକାର କୃଷକ ସଂଗଠନଗୁଡ଼ିକୁ କୃଷି ଆଇନର ବ୍ୟବସ୍ଥା ଉପରେ ଆଲୋଚନା କରିବାକୁ ବାରମ୍ବାର ଅନୁରୋଧ କରିଛନ୍ତି, ଯାହା ଦ୍ବାରା ସମାଧାନ ଦିଗରେ ଆଗକୁ ବଢି ହେବ। କିନ୍ତୁ କୃଷକ ସଂଗଠନଗୁଡ଼ିକ କେବଳ କୃଷି ଆଇନ ରଦ୍ଦ କରିବାକୁ ଜିଦ୍ ଧରିଥିଲେ ବୋଲି କେନ୍ଦ୍ର ସରକାର କହିଛନ୍ତି।

ସରକାର ଏବଂ ଚାଷୀ ୟୁନିଅନ ମଧ୍ୟରେ ଶେଷ ପର୍ଯ୍ୟାୟ ଆଲୋଚନା 22 ଜାନୁଆରୀରେ ହୋଇଥିଲା। 26 ଜାନୁଆରୀରେ ଲାଲ୍ କିଲ୍ଲାରେ ହୋଇଥିବା ବ୍ୟାପକ ହିଂସା ପରେ ଆଉ ଆଲୋଚନା ଆରମ୍ଭ ହୋଇନାହିଁ। ଏପଟେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଏହି ୩ ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ କୋର୍ଟ ଏକ କମିଟି ଗଠନ କରିଥିଲେ ଯାହାର ରିପୋର୍ଟ ଗ୍ରହଣ କରାଯାଇଛି।

Related Posts