(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଦରକାର ସମୟରେ ସରକାରୀ ସଂସ୍ଥା ଓ କଳ କାରଖାନାକୁ ପାଣି ଯୋଗାଇ ଦେଲେ ସରକାର ଏବେ ଅଦାଲତରେ ଚକ୍କର କାଟୁଛନ୍ତି । ପାଣି ପାଇବା ପରେ ଏହି କାରଖାନା ଏବଂ ସଂସ୍ଥା ମାନେ ସେମାନଙ୍କ ପାଉଣା ଦେବା ପରିବର୍ତ୍ତେ ସେମାନେ ସରକାରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିବାରୁ ସରକାର ଏବେ ଅଦାଲତ ଦୌଡୁଛନ୍ତି ।
ତେବେ ସରକାରଙ୍କ ଜଳ ଦେଉନଥିବା ସଂସ୍ଥା ମଧ୍ୟରେ ଦକ୍ଷିଣପୂର୍ବ ରେଳବାଇ, ପିପିଏଲ୍, ସେଲ୍, ଓପିଜିସି, ଇଡ୍କୋ, ଟାଟା ଷ୍ଟିଲ୍, ଜିନ୍ଦଲ ସମେତ ୬ଶହରୁ ଅଧିକ ଛୋଡ ବଡ ସଂସ୍ଥା ରହିଛନ୍ତି । ଏହା ମଧ୍ୟରେ କେତେକ ବଡ ବଡ ହୋଟେଲ ବି ରହିଛନ୍ତି ।
ବିଭିନ୍ନ ସଂସ୍ଥା ଉପରେ ପାଖାପାଖି ୫ହଜାର କୋଟି ଟଙ୍କାର ଜଳକର ବାକି ପଡିଥିବାବେଳେ ସବୁଠାରୁ ଆଗରେ ରହିଛି ଦକ୍ଷିଣପୂର୍ବ ରେଳବାଇ । ଏହି କେନ୍ଦ୍ରୀୟ ସଂସ୍ଥା ଉପରେ ସର୍ବାଧିକ ୪୫୪କୋଟି ୧୩ଲକ୍ଷ ଟଙ୍କା ବାକିଆ ରହିଛି । ସେହିଭଳି ରାଜ୍ୟ ସରକାରଙ୍କ ସଂସ୍ଥା ଓପିଜିସି ଉପରେ ମଧ୍ୟ ୩୪୪କୋଟି ୪୧ଲକ୍ଷ ଟଙ୍କା ବାକି ପଡିଛି। ସେହିପରି ସେଲ୍ ଉପରେ ୨୨୦ କୋଟି ଟଙ୍କାରୁ ଅଧିକ ଜଳକର ବାକି ପଡିଥିବାବେଳେ ଏନ୍ଟିପିସି ଉପରେ ୧୫କୋଟି ଟଙ୍କା ବାକି ରହିଛି ।
ବୃହତ୍ ଶିଳ୍ପସଂସ୍ଥା ମଧ୍ୟରେ ଟାଟା ଷ୍ଟିଲ୍ ଉପରେ ପ୍ରାୟ ୧୮୧ କୋଟି ଟଙ୍କା , ଜିନ୍ଦଲ ଉପରେ ୧୦୩କୋଟି ୫୨ଲକ୍ଷ, ଶ୍ୟାମ ମେଟାଲିକ ଉପରେ ୧୩୧ କୋଟି ୫୨ଲକ୍ଷ, ଓରିଏଣ୍ଟ ପେପରମିଲ୍ ଉପରେ ୨୭୯କୋଟି ୫୭ଲକ୍ଷ, ଏସାର ଷ୍ଟିଲଉପରେ ୧୧କୋଟି ୭୫ଲକ୍ଷ, ଟାଟା ରିଫ୍ରାକ୍ଟରିଜ ଉପରେ ୮୨କୋଟି ୪୭ଲକ୍ଷ ଟଙ୍କାର ବାକିଆ ଗଡୁଛି ।
ଏମାନେ ଜଳକର ଦେବା ପରିବର୍ତ୍ତେ ସରକାରଙ୍କ ବିରୁଦ୍ଧରେ ଅଦାଲତରେ ମାମଲା ରୁଜୁ କରିଛନ୍ତି । ଫଳରେ ଟଙ୍କାଟିଏ ଜଳକର ପାଉନାହାନ୍ତି । ସମ୍ପୃକ୍ତ ସଂସ୍ଥାମାନେ ସୁଧ ପଇସାରେ ମାମଲା ଲଢୁଥିବାବେଳେ ସରକାର କିନ୍ତୁ ଅଦାଲତି ଲଢେଇ ଜାରି ରଖିଛନ୍ତି । କରୋନା କାଳରେ ମଧ୍ୟ ଏହି ସଂସ୍ଥାମାନଙ୍କ ଠାରୁ ହଜାର ହଜାର କୋଟି ଟଙ୍କାର ଜଳକର ଆଦାୟ ହୋଇପାରୁ ନାହିଁ ।
କେବଳ ଏମାନେ ନୁହେଁ ରାଜଧାନୀ ଭୁବନେଶ୍ୱରରେ ଥିବା କେତେକ ବିଳାସପୂର୍ଣ୍ଣ ହୋଟେଲ ଓ କର୍ପୋରେଟ ଡାକ୍ତରଖାନାଗୁଡିକ ମଧ୍ୟ ଲକ୍ଷାଧିକ ଟଙ୍କାର ଜଳକର ପଇଠ କରୁନାହାନ୍ତି । ହୋଟେଲ ହିନ୍ଦୁସ୍ଥାନ ଇଣ୍ଟରନ୍ୟାସନାଲ ଉପରେ ୨ଲକ୍ଷ ଟଙ୍କାରୁ ଅଧିକ ଜଳକର ବାକି ଥିବାବେଳେ ଟ୍ରାଇଡେଣ୍ଟ ଉପରେ ଲକ୍ଷେରୁ ଅଧିକ ଟଙ୍କା ବାକି ଗଡୁଛି ।
ସୂଚନା ଅନୁଯାୟୀ ବିଭିନ୍ନ ସଂସ୍ଥାଙ୍କ ଠାରୁ ପାଇବାକୁ ଥିବା ପାଖପାଖି ୪ହଜାର କୋଟି ଟଙ୍କାର ଜଳକର ଅଦାଲତି ଲଢେଇ ଯୋଗୁଁ ଅଟକି ରହିଛି । ମାମଲା ରୁଜୁ କରିଥିବା ସଂସ୍ଥାଙ୍କ ଠାରୁ ବାକିଆ ଅର୍ଥର ୫୦ ପ୍ରତିଶତ ଆଦାୟ ପାଇଁ ମିସ୍କେସ୍ ରୁଜୁ ହୋଇଥିଲେ ମଧ୍ୟ ବାକିଆ ଜଳକର ପରିମାଣ ଦିନକୁ ଦିନ ବଢିବାରେ ଲାଗିଛି କିନ୍ତୁ ଆଦାୟ ହୋଇ ପାରୁ ନାହିଁ ।
