ଆଶୀର୍ବାଦ ଯୋଜନା ବନ୍ଦ ହେବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ବିରୋଧୀ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା କାଳରେ ନିଜର ପିତାମାତାଙ୍କୁ ହରାଇ ଅନାଥ ହୋଇଯାଇଥିବା ଶିଶୁଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ‘ଆଶୀର୍ବାଦ’ ଯୋଜନାକୁ ସେପ୍ଟେମ୍ବର ୧୫ତାରିଖରୁ ସରକାର ବନ୍ଦ କରିଦେଲେ। ଏହି ଯୋଜନାକୁ ହଠାତ୍ ବନ୍ଦ କରି ଦେବାକୁ ନେଇ ଏବେ ବିରୋଧୀଙ୍କ ନିଶାନାରେ ମୁଖ୍ୟମନ୍ତ୍ରୀ। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି ବିରୋଧୀ ବିଜେପି ଏବଂ କଂଗ୍ରେସ। ଆଶୀର୍ବାଦ ଯୋଜନା ନାଁରେ ରାଜ୍ୟ ସରକାର ଓଡ଼ିଶାର ଶିଶୁମାନଙ୍କୁ ଉପେକ୍ଷିତ କରିଛନ୍ତି ଓ ଏହା ଏକ ବଡ଼ ଘୋଟାଲା ବୋଲି ବିଜେପି ଅଭିଯୋଗ କରିଥିବାବେଳେ କରୋନାରେ ଅନାଥ ପିଲାଙ୍କ ପ୍ରତି ଏହା ନବୀନ ସରକାରର ଉପହାସ ବୋଲି କଂଗ୍ରେସ କହିଛି।

କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପ୍ରତିଶ୍ରୁତି ଦିଅନ୍ତି ତାହା କେବଳ ଜନସାଧାରଣଙ୍କୁ ଭୂଆଁ ବୁଲାଇବା ପାଇଁ ଉର୍ଦ୍ଦିଷ୍ଟ । ୨୦୨୦ ମସିହା ଏପ୍ରିଲ ୧ ତାରିଖ ପରଠାରୁ ଯେଉଁ ଶିଶୁମାନେ ନିଜର ପିତାମାତା ବା ସେମାନଙ୍କ ମଧ୍ୟରୁ ଜଣେ ବା ପରିବାରର ରୋଜଗାର କରୁଥିବା ବ୍ୟକ୍ତି ଯଦି ପ୍ରାଣ ହରାଇଛନ୍ତି ତେବେ ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଗତ ଜୁନ ୨୦ରେ ଘୋଷଣା କରିଥିଲେ ।

କିନ୍ତୁ ଏହି ଯୋଜନା ଘୋଷଣା ହେବାର ମାତ୍ର ୨ ମାସ ୨୪ ଦିନରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇ ସାରିଲେଣି। ବର୍ତ୍ତମାନ ସୁଦ୍ଧା ୩୧ ହଜାର ପିଲା ଅଭିଭାବକମାନଙ୍କୁ ହରାଇଥିବା ସ୍ଥଳେ ମାତ୍ର ୧୦ ହଜାର ପିଲାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ୨୦ ହଜାର ପିଲା ଅପେକ୍ଷାରେ ଅଛନ୍ତି । ଓଡ଼ିଶାର କରୋନା ମହାମାରୀ ସମୟରେ ଅନାଥ ହୋଇଥିବା ପିଲାଙ୍କୁ ପ୍ରତିଶ୍ରୁତି ଦେଇ ପୁଣି ପ୍ରତାରଣା କରିବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ଅଭିଯୋଗ କରିଛି । ଏବେ ସରକାର କହୁଛନ୍ତି ଆର୍ଥିକ ସଂକଟ ପାଇ ଏ ନିଷ୍ପତ୍ତି ନେବାକୁ ପଡ଼ୁଛି। ବିଜୁ ଯୁବ ବାହିନୀ, ମୋ ସାଇକେଲ ଆଦି ନାଁରେ କୋଟିକୋଟି ଟଙ୍କା ନଷ୍ଟ କରୁଥିବା ସରକାର ଅନାଥ ପିଲାଙ୍କ ପାଇଁ ଟଙ୍କାର ଅଭାବ ଦେଖାଇବା ଅତ୍ୟନ୍ତ ଦୁଃଖଦାୟକ କଥା। ତେଣୁ ବାକିଥିବା ଅନାଥ ପିଲାମାନଙ୍କୁ ତୁରନ୍ତ ଏହି ଯୋଜନାରେ ସାମିଲ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

ଅନ୍ୟପକ୍ଷରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଆଶୀର୍ବାଦ ଯୋଜନାର ସବୁଠୁ ବଡ ଘୋଟାଲା ହେଉଛି ଏହା ଏକ ମିଥ୍ୟା ଯୋଜନା। ରାଜ୍ୟ ସରକାର ହେଉଛନ୍ତି ଘୋଷଣା ସର୍ବସ୍ୱ ସରକାର । ପ୍ରତ୍ୟେକ ଦିନ ଗଣମାଧ୍ୟମ ଆଗରେ ନୂଆ ନୂଆ ମିଥ୍ୟା କଥା କହୁଛନ୍ତି । ଯେତେବେଳେ କରୋନା ଭଳି ଭୟଙ୍କର ମହାମାରୀ ବିଶ୍ୱକୁ ଘାରିଲା ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କଲେ ଯେ କୋଭିଡ୍‌ରେ ଅନାଥ ହୋଇଥିବା ଶିଶୁ ମାନଙ୍କ ପାଇଁ ଆର୍ଥିକ ସହାୟତାର ଗୋଟିଏ ବିସ୍ତୃତ ଯୋଜନା ଘୋଷଣା କରିଥିଲେ । ୧୮ବର୍ଷ ପରେ ତାଙ୍କୁ ଷ୍ଟାଇପେଣ୍ଡ ମିଳିବ ଏବଂ ୨୩ ବର୍ଷ ବେଳକୁ ତାଙ୍କୁ ୧୦ଲକ୍ଷ ଟଙ୍କାର ଗୋଟିଏ କର୍ପସ୍ ଫଣ୍ଡ ମିଳିବ ଏହି ସବୁ ବ୍ୟବସ୍ଥା ପାଇଁ ପିଏମ କେୟାରସ୍ ଫଣ୍ଡ୍‌ରୁ ଅର୍ଥ ଆସିବ । ଏହା ପରେ ପରେ ଓଡିଶାର ୨୧ ବର୍ଷର ମୁଖ୍ୟମନ୍ତ୍ରୀଙ୍କ ପାଟିରୁ ଲାଳ ଗଡ଼ିଲା ଯେ ସେ ବି ଓଡ଼ିଶାବାସୀଙ୍କଠୁ ପୁଣି ବାହାବା ଆଶାରେ କରୋନାରେ ଅନାଥ ହୋଇଥିବା ଶିଶୁଙ୍କ ପାଇଁ ‘ଆଶୀର୍ବାଦ’ ଯୋଜନା ଘୋଷଣା କଲେ । ମାସିକ ୧୫୦୦ରୁ ୨୫୦୦ଟଙ୍କା ଦେବେ ବୋଲି ଏହି ଯୋଜନାରେ କହିଥିଲେ । କିନ୍ତୁ ହଠାତ୍ ସେପ୍ଟେମ୍ବର ୧୫ରୁ ଏହି ଯୋଜନାକୁ ବନ୍ଦ କରିଦେବା ପାଇଁ ଘୋଷଣା କରିଦେଲେ । ସେ କହିଛନ୍ତି ଯେ, ବିଜେପି ଜାଣିବାକୁ ଚାହୁଁଛି ଯେ, ରାଜ୍ୟରୁ କରୋନା ସମ୍ପୂର୍ଣ୍ଣ ହଟିଗଲା ନା କରୋନାରେ ଆଉ କେହି ମୃତ୍ୟୁ ବରଣ କଲେନାହିଁ । କୌଣସି ପିଲା ଅନାଥ ହେଉନାହାଁନ୍ତିି କି? ଯଦି ସେମିତି କଥା ତେବେ ରାଜ୍ୟ ସରକାର ଘୋଷଣା କରନ୍ତୁ ଯେ ସେପ୍ଟେମ୍ବର ୧୫ରୁ ଓଡ଼ିଶା କରୋନା ମୁକ୍ତ ହୋଇଗଲା। ‘ଆର୍ଶିବାଦ’ କେବଳ ନାରେ କହିଲେ ହେବନାହିଁ ସେତିକି ମାନସିକତା ରାଜ୍ୟ ସରକାରଙ୍କର ରହିବା ଦରକାର ବୋଲି ବିଜେପି କହିଛି।

Related Posts