‘ବାହାନଗା ରେଳ ଦୁର୍ଘଟଣା ପଛରେ ରହିଛି ଟିଏମ୍‌ସିର ହାତ’; ବଡ଼ ଅଭିଯୋଗ ଆଣିଲେ ଶୁଭେନ୍ଦୁ ଅଧିକାରୀ

ଭୁବନେଶ୍ୱର,୬/୬(ସତ୍ୟପାଠ ବ୍ୟୁରୋ): ବାଲେଶ୍ୱର ବାହାନଗା ଠାରେ ରେଳ ଦୁର୍ଘଟଣା ଅନେକ ଜୀବନ ନେଇଥିବା ବେଳେ ଏହାକୁ ନେଇ ତେଜିବାରେ ଲାଗିଛି ରାଜନୀତି। ଏହି ଦୁର୍ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଟିଏମ୍‌ସି ଓ ବିଜେପି। ଓଡ଼ିଶାର ରେଳ ଦୁର୍ଘଟଣା ପଛରେ ଟିଏମ୍‌ସିର ହାତ ରହିଛି ବୋଲି କହିଛନ୍ତି ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ।

ତେବେ ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ସମ୍ପର୍କରେ ଘୋଷଣା କରାଯିବା ପରେ ଏହାକୁ ନେଇ ଅସହମତି ପ୍ରକାଶ କରିଥିଲେ ମମତା ବାନାର୍ଜୀ। ଏପରିକି ଏହାଦ୍ୱାରା କିଛି ଲାଭ ମିଳିବ ନାହିଁ ବୋଲି ସେ କହିଥିଲେ। ମମତାଙ୍କ ଏହି ବୟାନକୁ ନେଇ ତାଙ୍କୁ ଘେରିଛନ୍ତି ଶୁଭେନ୍ଦୁ। ସେ କହିଛନ୍ତି, ଏହା ଅନ୍ୟ ରାଜ୍ୟର ଘଟଣା ହୋଇଥିବା ବେଳେ ମମତା ବାନାର୍ଜୀ କ’ଣ ପାଇଁ ଏତେ ଚିନ୍ତିତ । ଏଥିରେ ତାଙ୍କର କିଛି ଷଡଯନ୍ତ୍ର ଅଛି କି ? ସିବିଆଇ ତଦନ୍ତ ନାଁ ଶୁଣି କାହିଁକି ମମତା ବିଚଳିତ ହେଉଛନ୍ତି। ପୁଲିସ୍‌ ସହାୟତାରେ ପଶ୍ଚିମବଙ୍ଗ ସରକାର ୨ ରେଳ ଅଧିକାରୀଙ୍କ ଫୋନ୍‌ ଟ୍ୟାପ କରିଛନ୍ତି ବୋଲି ସେ ଆରୋପ ଲଗାଇଛନ୍ତି। ସେ କହିଛନ୍ତି ଯେ, ୨ ରେଳ ଅଧିକାରୀଙ୍କ ଫୋନ୍‌ ଟ୍ୟାପ କରିନଥିଲେ ସେମାନଙ୍କ କଥାବାର୍ତ୍ତା ବିଷୟରେ କିପରି ଜାଣିପାରିଲେ। କିପରି ଉଭୟ ରେଳ ଅଧିକାରୀଙ୍କ କଥା ଲିକ୍‌ ହେଲା ତାହା ତଦନ୍ତରୁ ସ୍ପଷ୍ଟ ହେବ। ସିବିଆଇ ତଦନ୍ତରେ ଏହି ଘଟଣା ଉପରୁ ପରଦା ନ ହଟିଲେ ମୁଁ କୋର୍ଟଙ୍କ ଦ୍ୱାରସ୍ଥ ହେବି ବୋଲି ଶୁଭେନ୍ଦୁ କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ଏହି ଦୁର୍ଘଟଣାର ପର ଦିନ ଅର୍ଥାତ ଜୁନ୍ ୩ ତାରିଖ ଅପରାହ୍ନରେ ତୃଣମୂଳ କଂଗ୍ରେସ ମୁଖପାତ୍ର କୁନାଲ ଘୋଷ ସୋସିଆଲ ମିଡିଆରେ ଏକ ଅଡିଓ ସେୟାର କରିଥିଲେ। ଏଥିରେ ଦୁଇଜଣ ରେଳ ଅଧିକାରୀ ପରସ୍ପର ସହ କଥାବାର୍ତ୍ତା କରୁଥିଲେ। ଏଥିରେ ସିଗନାଲ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଦୁଇ ଅଧିକାରୀ କହୁଥିବା ଶୁଣିବାକୁ ମିଳିଥିଲା | ତେବେ ଏହି ଅଡିଓର ସତ୍ୟତା ନେଇ କୁନାଲ କୌଣସି ଦାବି କରିନଥିଲେ | ଏବେ ଏହି ଅଡିଓକୁ ନେଇ ଶୁଭେନ୍ଦୁ ଟିଏମସି ଓ ମମତା ବାନାର୍ଜୀଙ୍କୁ ଘେରିଛନ୍ତି |

ସେ ଅହୁରି କହିଛନ୍ତି ଯେ, ଏପରି ସମ୍ବେଦନଶୀଳ ଘଟଣାର ରାଜନୀତିକରଣ କରିବାକୁ ଆମେ ଚାହୁଁନୁ । କିନ୍ତୁ ସିବିଆଇ ଯାଞ୍ଚ ପୂର୍ବରୁ ହିଁ ମମତା ନିଜ ନିଷ୍ପତ୍ତି ଶୁଣାଇ ଦେଉଥିବା କହିଛନ୍ତି ଶୁଭେନ୍ଦୁ ଅଧିକାରୀ ।ଓଡ଼ିଶା ଟ୍ରେନ୍‌ ଟ୍ରାଜେଡି ପାଇଁ ଟିଏମସି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ମାଗୁଥିବା ବେଳେ ଏହାର ଜବାବ ରଖିଛନ୍ତି ଶୁଭେନ୍ଦୁ ଅଧିକାରୀ। ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ମମତା ରେଳ ମନ୍ତ୍ରୀ ଥିବା ବେଳେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣା ପାଇଁ କ’ଣ ଇସ୍ତଫା ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣା ପରେ ଶନିବାର ମମତା ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହାପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରିବା ସମୟରେ ମୃତକଙ୍କ ସଂଖ୍ୟାକୁ ନେଇ ସେଠାରେ ଉପସ୍ଥିତ ଥିବା ରେଳ ମନ୍ତ୍ରୀଙ୍କ ସହ ତାଙ୍କର କଥା କଟାକଟି ମଧ୍ୟ ହୋଇଥିଲା। ସେପଟେ ଏହି ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଏଥିରୁ କିଛି ଫାଇଦା ମିଳିବ ନାହିଁ ବୋଲି ଗତକାଲି ସାମ୍ବାଦିକଙ୍କୁ କହିଥିଲେ ମମତା ବାନାର୍ଜୀ।

Related Posts