ରାଜ୍ୟରେ ସ୍ବାସ୍ଥ୍ୟସେବାର ସ୍ଥିତିକୁ ନେଇ ହାଇକୋର୍ଟଙ୍କ ଉଦ୍‌ବେଗ; ମୌଳିକ ସୁବିଧା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ସ୍ବାସ୍ଥ୍ୟସେବାର ସ୍ଥିତିକୁ ନେଇ ହାଇକୋର୍ଟଙ୍କ ଉଦ୍‌ବେଗ । ସବୁ ଜିଲ୍ଲାର ଜିଲ୍ଲା ଆଇନସେବା ପ୍ରାଧିକରଣ (ଡିଏଲଏସଏ) ପକ୍ଷରୁ ଦାଖଲ ରିପୋର୍ଟରୁ ଯେଉଁ ତଥ୍ୟ ସାମନାକୁ ଆସିଛି, ତାହାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହିତ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟରେ ଦାଖଲ ରିପୋର୍ଟ ଅନୁଯାୟୀ ଅଧିକାଂଶ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ମୌଳିକ ସୁବିଧା ନାହିଁ। ଡିଏଲଏସଏ ପକ୍ଷରୁ ଗଠିତ ଟିମ୍ ବିଭିନ୍ନ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚଏଚ), ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚସି) ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚସି) ଗସ୍ତ କରି ଦେଇଥିବା ରିପୋର୍ଟ ଓ ଭିଡିଓ କ୍ଲିପ୍ ଅନୁଯାୟୀ ଅଧିକାଂଶ ସ୍ଥାନରେ ପରିମଳ ଓ ଶୌଚାଳୟ ଅବସ୍ଥା ଶୋଚନୀୟ। ଅନେକ ସ୍ଥାନରେ ଆମ୍ବୁଲାନ୍ସ ରହୁ ନାହିଁ। ଟେଲିଫୋନ୍ ଓ ଇଣ୍ଟରନେଟ୍ ସୁବିଧା ମଧ୍ୟ ଅନେକ ଡାକ୍ତରଖାନାରେ ନାହିଁ। ଡାକ୍ତରଖାନାରେ ରୋଗୀ ଓ ସାଧାରଣ ଲୋକଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ନାହିଁ। ଦାୟିତ୍ବରେ ଥିବା ଡାକ୍ତର, ନର୍ସ ଓ କର୍ମଚାରୀ ଅନେକ ସ୍ଥାନରେ ରହୁ ନାହାନ୍ତି। ପ୍ରକ୍ସି ଆଟେଣ୍ଡାନ୍ସ, ପ୍ରକ୍ସି ସିଗନେଚର ହେଉଛି। ଦାୟିତ୍ବରେ ଥିବା ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ନାଁ ରେଜିଷ୍ଟରରେ ଥିବା ବେଳେ ସେମାନେ କିନ୍ତୁ ପ୍ରକୃତରେ ସେ ଦିନ ସେଠାରେ ନଥିଲେ। ଏଥିରୁ ଦାୟିତ୍ବରେ ଥିବା ଡାକ୍ତର ଓ କର୍ମଚାରୀ ନଥିଲେ ମଧ୍ୟ ସେମାନଙ୍କ ଉପସ୍ଥାନ ପଡୁଛି ବୋଲି ସ୍ପଷ୍ଟ ହୋଇଥିଲା।

ଏଥି ସହିତ ଡାକ୍ତରଖାନା କେଉଁ ଔଷଧ କେତେ ପରିମାଣର ରହିଛି ତାହା ରେଜିଷ୍ଟରରେ ଉଲ୍ଲେଖ କରାଯାଉ ନାହିଁ। ଏମଆରଆଇ, ସିଟି ସ୍କାନ ଓ ଅନ୍ୟାନ୍ୟ ରୋଗନିରୂପଣ ପରୀକ୍ଷା ପାଇଁ ଘରୋଇ ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ ରୋଗୀଙ୍କୁ ପଠାଯାଉଛି। ଡାକ୍ତରଖାନାରେ ବିଦ୍ୟୁତ କଟିଲେ ବିକଳ୍ପ ବ୍ୟବସ୍ଥା ରହିବା କଥା। କିନ୍ତୁ ଅଧିକାଂଶ ସ୍ଥାନରେ ଏପରି କିଛି ସୁବିଧା ନାହିଁ। ନଭେମ୍ବର ମାସରେ ଅନୁଧ୍ୟାନ ପରେ ଏହି ସବୁ ଅବ୍ୟବସ୍ଥା ପ୍ରସଂଗରେ ଡିଏଲଏସ ରିପୋର୍ଟ ଦାଖଲ କରିଥିଲା। ଇତିମଧ୍ୟରେ ୬ ମାସ ହୋଇ ଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହି ରିପୋର୍ଟ ଉପରେ ଜବାବ ରଖି ନଥିବାରୁ ହାଇକୋର୍ଟ ଶନିବାର ଦିନ ଅସନ୍ତୋଷବ୍ୟକ୍ତ କରିଥିଲେ। ତୁରନ୍ତ ଡାକ୍ତରଖାନା ଗୁଡିକରେ ରହିଥିବା ଏହି ସବୁ ଅବ୍ୟବସ୍ଥା ଦୂର ଉପରେ ହାଇକୋର୍ଟ ଶନିବାର ଦିନ ଗୁରୁତ୍ବାରୋପ କରିଛନ୍ତି। ରିପୋର୍ଟରେ ରହିଥିବା ତଥ୍ୟ ଆଧାରରେ ତୁରନ୍ତ ଅନୁପସ୍ଥିତ ଥିବା ସଂପୃକ୍ତ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନୋଟିସ୍ ଜାରି ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related Posts