
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ସାରା ବିଶ୍ୱର ନଜର ବର୍ତ୍ତମାନ ରୁଷ ଓ ୟୁକ୍ରେନ ଉପରେ ରହିଛି । ଏହା ମଧ୍ୟରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଥିବାର ମଧ୍ୟ ଦେଖିବାକୁ ମିଳିଛି । ସେପଟେ ଉଭୟ ଦେଶ ପାଇଁ ସାରା ଦେଶ ଚିନ୍ତିତ ଥିବାବେଳେ ଭାରତୀୟ ଘରୋଇ ଷ୍ଟକରେ ମଧ୍ୟ ଏହାର ବେଶ ପ୍ରଭାବ ପଡ଼ିଛି । ତେବେ ଯୁଦ୍ଧ ଆରମ୍ଭ ଖବର ଯୋଗୁଁ ବଜାରରେ ସଙ୍କଟ ସୃଷ୍ଟି ହୋଇଛି । ପ୍ରି-ଓପନିଂରେ ବଜାର ୩ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଆଇସିଆଇସିଆଇ ବ୍ୟାଙ୍କର ଶେୟାର ଖୋଲିବା ମାତ୍ରେ ୪ ପ୍ରତିଶତ ହ୍ରାସ ପାଇଛି । ସମସ୍ତ ବିଭାଗୀୟ ସୂଚକାଙ୍କ ହ୍ରାସର ଲାଭ ଚିହ୍ନରେ ବୁଡ଼ି ରହିଛି । ମୁମ୍ବାଇର ଷ୍ଟକ ମାର୍କେଟ ଖୋଲିବା ସମୟରେ ଚାରିଆଡ଼େ ଲାଲ ଚିହ୍ନ ଦେଖାଦେଇଛି । ରୁଷିଆ ୟୁକ୍ରେନ ଯୁଦ୍ଧ ଯୋଗୁଁ ଶେୟାର ବଜାର ଲହୁଲୁହାଣ ହୋଇ ଯାଇଛି । ୧୮୧୩ ପଏଣ୍ଟ ହ୍ରାସ ପାଇ ସେନସେକ୍ସ ୫୫, ୪୧୮ରେ ଖୋଲିଛି ।
୫୧୪ ପଏଣ୍ଟ ହ୍ରାସ ସହିତ ନିଫ୍ଟି ୧୬, ୫୪୮ରେ ଖୋଲିଛି । ସକାଳ ୯ଟା ୪୫ ମିନିଟରେ ସେନସେକ୍ସ ୫୫,୨୧୧.୧୬ରେ କାରବାର କରୁଥିବାବେଳେ ଏଥିରେ ୨,୦୨୦.୯୦ ପଏଣ୍ଟ ହ୍ରାସ ପାଇଛି । ଯାହାକି ୩.୫୩ ପ୍ରତିଶତ । ଏହା ବ୍ୟତୀତ ନିଫ୍ଟି ୫୯୪.୪୦ ପଏଣ୍ଟ ଅର୍ଥାତ ୩.୪୮ ପ୍ରତିଶତ ହ୍ରାସ ପରେ ୧୬,୪୬୮ରେ କାରବାର କରୁଥିବା ଦେଖାଯାଇଛି । ସେପଟେ ସେକ୍ଟରାଲ ଇଣ୍ଡେକ୍ସରେ ସମସ୍ତ ଷ୍ଟକ ତଳକୁ ଅଛି ଏବଂ ଲାଲ ଜୋନ ଦେଖାଯାଉଛି । ମିଡିଆର ଷ୍ଟକରେ ୩.୨୫ ପ୍ରତିଶତ ହ୍ରାସ ଘଟିଛି । ନିଫ୍ଟି ଅଟୋ ଇଣ୍ଡେକ୍ସ ୨.୫୯ ପ୍ରତିଶତ ହ୍ରାସ ସହିତ କାରବାର କରୁଛି । ଧାତୁ ସୂଚକାଙ୍କ ମଧ୍ୟ ୨.୫ ପ୍ରତିଶତ ହ୍ରାସ ପାଇଛି । ଆଇଟି ଇଣ୍ଡେକ୍ସ ୨.୮୦ ପ୍ରତିଶତ ହ୍ରାସ ପାଇଛି ।