ସୁପ୍ରିମକୋର୍ଟରେ ପହଞ୍ଚିଲା ଗୁଜରାଟର ଝୁଲାପୋଲ ଭାଙ୍ଗିବା ଘଟଣା, ନଭେମ୍ବର ୧୪ରେ ହେବ ମାମଲାର ଶୁଣାଣି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟର ମୋରବିରେ ଝୁଲାପୋଲ ଭାଙ୍ଗିବା ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ଦୁଃଖଦାୟକ ଘଟଣାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଜନସ୍ଵାର୍ଥ ମାମଲା ରୁଜୁ କରାଯାଇଛି। ମାମଲାର ଶୁଣାଣି ଆସନ୍ତା ନଭେମ୍ବର ୧୪ ରେ କରାଯିବ ବୋଲି ତାରିଖ ଧାର୍ଯ୍ୟ କରାଯାଇଛି। ଏବେସୁଦ୍ଧା ଘଟଣାରେ ମୃତକଙ୍କ ସଂଖ୍ୟା ୧୪୧ରେ ପହଞ୍ଚିଛି।

ମଙ୍ଗଳବାର ଆଉ ଜଣେ ରୋଗୀଙ୍କ ମୋରବି ହସ୍ପିଟାଲରେ ପ୍ରାଣହାନୀ ଘଟିଛି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉକ୍ତ ହସ୍ପିଟାଲ୍ ଗସ୍ତ କରି ଆହତ ମାନଙ୍କୁ ଓ ମୃତକଙ୍କ ପରିବାର ବର୍ଗଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ସୂଚନା ଅନୁଯାୟୀ, ଜଣେ ଆଇନଜୀବୀଙ୍କ ଦ୍ଵାରା ସର୍ବୋଚ୍ଚ ନ୍ୟାୟାଳୟରେ ଏନେଇ ଏକ ଜନସ୍ଵାର୍ଥ ମାମଲା ଦାୟର କରାଯାଇଛି। ସୁପ୍ରିମକୋର୍ଟ ଯାଚିକାକୁ ସ୍ଵୀକାର କରି ମାମଲାର ଶୁଣାଣି ନଭେମ୍ବର ୧୪ରେ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି। ପୁରାତନ ସ୍ମାରକ ଏବଂ ସେତୁର ସର୍ବେକ୍ଷେଣ କରାଯାଇ ଏହାର ମୂଲ୍ୟାଙ୍କନ ନିମନ୍ତେ କମିଟି ଗଠନ କରିବାକୁ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ, ରବିବାର ଗୁଜରାଟର ମୋରବିରେ ଝୁଲନ୍ତାପୋଲ ଭୁଶୁଡିବା ଘଟଣାରେ ଏ ପର୍ଯ୍ୟନ୍ତ ୧୪୧ଜଣଙ୍କ ପ୍ରାଣହାନୀ ଘଟି ସାରିଛି। ସାତ ମାସର ମରାମତି ପରେ ବିନା ଫିଟନେସ୍ ପ୍ରମାଣ ପତ୍ରରେ କିପରି ପୋଲ ଖୋଲିବାକୁ ଅନୁମତି ଦିଆଗଲା ସେ ନେଇ ପ୍ରଶ୍ନ ଉଠିଛି। ଘଟଣାରେ ଏ ପର୍ଯ୍ୟନ୍ତ ନଅ ଜଣଙ୍କୁ ଗିରଫ କରାଯାଇଛି। ଗିରଫକାରୀଙ୍କ ମଧ୍ୟରେ ଓରେଭା କମ୍ପାନିର ୨ ମ୍ୟାନେଜର, ୨ ଟିକେଟ୍ କ୍ଲର୍କ, ୩ ସିକ୍ୟୁରିଟି ଗାର୍ଡ ଏବଂ ୨ ମରାମତି କଣ୍ଟ୍ରାକ୍ଟର ସାମିଲ୍। ଆହୁରି ଲୋକ ଗିରଫ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷେ ଏସଆଇଟି ନିଜର ତଦନ୍ତ ଚଳାଇଛି।

Related Posts