ଭାରତୀୟ ସେନାକୁ କୌଣସି ପ୍ରମାଣ ଦେବାର ଆବଶ୍ୟକତା ନାହିଁ; ଦିଗ୍‌ବିଜୟ ସିଂହଙ୍କ ବୟାନ ସହ ଅସହମତି ପ୍ରକାଶ କଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୪/୧(ସତ୍ୟପାଠ ବ୍ୟୁରୋ): ଜମ୍ମୁ-କଶ୍ମୀରରେ ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡ ଯାତ୍ରା’ ଜାରି ରହିଛି। ଏହି ଅବସରରେ ମଙ୍ଗଳବାର ରାହୁଲ ଏ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପୁଲଓ୍ବାମା ଆକ୍ରମଣ ଓ ସର୍ଜିକାଲ ଷ୍ଟ୍ରାଇକ୍ ଉପରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଦେଇଥିବା ବୟାନ ତାଙ୍କ ନିଜର। ଯାହା ଦିଗବିଜୟ କହିଛନ୍ତି, ସେଥିରେ ଆମେ ସହମତ ନୁହେଁ।

ରାହୁଲ କହିଛନ୍ତି, ଭାରତୀୟ ସେନା ଉପରେ ମୋର ପୁରା ଭରସା ରହିଛି। ଦେଶର ସେନା ଯାହାବି ଅପରେସନ୍ କରୁଛି, ଏହାର ପ୍ରମାଣ ଦେବା ଆବଶ୍ୟକତା ନାହିଁ। କେବଳ ସେତିକି ନୁହେଁ ରାହୁଲ ଏହି ସମୟରେ ଗୁଲାମ ନବୀ ଆଜାଦଙ୍କୁ ମଧ୍ୟ କ୍ଷମା ମାଗିଥିଲେ। ରାହୁଲ କହିଛନ୍ତି, ଯଦି ମୁଁ କେବେ ଗୁଲାମ ନବୀ ଆଜାଦ ଓ ଚୌଧୁରୀ ଲାଲ ସିଂହଙ୍କୁ ଦୁଃଖ ଦେଇଛି, ତେବେ ତାଙ୍କୁ କ୍ଷମା ମାଗୁଛି।

ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ନେତା ଦିଗ ବିଜୟ ସିଂହ ମଙ୍ଗଳବାର ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଆମର ସିଆରପିଏଫର ୪୦ ଯବାନ ପୁଲଓ୍ବାମାରେ ଶହୀଦ ହୋଇଥିଲେ। ସିଆରପିଏଫ୍‌ର ଅଧିକାରୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଥିଲେ, ସବୁ ଯବାନଙ୍କୁ ଏୟାର ଲିଫ୍ଟ କରାଯାଉ, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ କଥା ଶୁଣିନଥିଲେ। ଏଭଳି ଭୁଲ କିପରି ହେଲା? ସେ କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ପୁଲଓ୍ବାମା ଉପରେ ସଂସଦରେ କୌଣସି ରିପୋର୍ଟ ରଖାଯାଇ ନାହିଁ। ସେ ଦାବି କରିଛନ୍ତି, ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଛି, କିନ୍ତୁ ପ୍ରମାଣ ଦେଖାଇଲେ ନାହିଁ। ଏହା (ବିଜେପି) ଖାଲି ମିଛ ପ୍ରଚାର କରେ।

ଜମ୍ମୁରେ ସମ୍ବାଦିକ ସମ୍ମିଳନୀ ବେଳେ ରାହୁଲଙ୍କୁ ଏନେଇ ଯେତେବେଳେ ପ୍ରଶ୍ନ ପଚରା ଯାଇଥିଲା ସେତେବେଳେ ସେ ସେ କହିଥିଲେ ଏହା ଦିଗବିଜୟ ସିଂହଙ୍କ ବ୍ୟକ୍ତିଗତ ବୟାନ। ମୁଁ ତାଙ୍କ ବୟାନ ଉପରେ ସହମତ ନୁହେଁ। ମୋତେ ଦେଶର ସେନା ଉପରେ ଭରସା ରହିଛି। ରାହୁଲ କହିଛନ୍ତି, କଂଗ୍ରେସ ପାର୍ଟି ଦେଶକୁ ସ୍ବାଧୀନତା ଦେଇଛି। ଦେଶର ସବୁ ସଂସ୍ଥା ତିଆରି କରିଛି। କଂଗ୍ରେସର ବିଚାରଧାରା ସହିତ ଦେଶ ଗଠନ ହୋଇଛି। ଯେତେବେଳେ ଆମେ ଇଂରେଜଙ୍କ ସହ ଲଢୁଥିଲୁ, ସେତେବେଳେ ବିଜେପି ଓ ଆରଏସଏସ୍‌ର ଲୋକେ ଇଂରେଜଙ୍କ ସାଥ୍ ଦେଇଥିଲେ।

Related Posts