ବିନା ଭିତ୍ତିଭୂମିରେ ଆଉ ବର୍ଷେ ଚଳେଇବାକୁ ସମୟ ମାଗିଲା ଅନୁଷ୍ଠାନ

କରୋନା ମହାମାରୀକୁ ନେଇ ଦେଖାଦେଇଥିବା ଉତ୍କଟ ପରିସ୍ଥିତି ସମୟରେ ରାଜ୍ୟରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ପ୍ରଦାନ କରାଯାଇଥିବା ସ୍ୱୀକୃତି ଅବଧି ଏକବର୍ଷ ପାଇଁ ବୃଦ୍ଧି ଆବେଦନରେ ହାଇକୋର୍ଟରେ ରୁଜ୍ଜୁ ହେଲା ଜନସ୍ୱାର୍ଥ ମାମଲା ।

ଅନଙ୍ଗ କୁମାର ଓତାଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଚି ଯେ, ରାଜ୍ୟରେ ଏପରି ବହୁ ଶିକ୍ଷାନୁଷ୍ଠାନ ରହିଛି ଯେଉଁ ଗୁଡ଼ିକ ସର୍ତ୍ତମୂଳକ ଅସ୍ଥାୟୀ ସ୍ୱୀକୃତିରେ ଚାଲିଛନ୍ତି । ଗୋଟିଏ ସ୍ଥାନରେ ନିୟମିତ ଶିକ୍ଷା ଗ୍ରହଣ କରିବା ସହିତ ପ୍ରତିଯୋଗୀତାମୂଳକ ପରିକ୍ଷା ପ୍ରସ୍ତୁତି ହେବା ପାଇଁ ଛାତ୍ର ଛାତ୍ରୀ ସୁବିଧା ପାଉଥିବାରୁ ଏଭଳି ଘରୋଇ ଶିକ୍ଷାନୁଷ୍ଠାନକୁ ପସନ୍ଦ କରାଯାଇଛି । ଏଥି ମଧ୍ୟରୁ ଅଧିକାଂଶ ଆବାସିକ ଶିକ୍ଷାନୁଷ୍ଠାନ ।

ସ୍ଥାୟୀ ସ୍ୱୀକୃତି ପାଇଁ ସରକାରୀ ନିୟମ ଅନୁସାରେ ଭିତ୍ତିଭୂମି ଓ ଅନ୍ୟାନ୍ୟ ସର୍ତ୍ତ ପୂରଣ କରିବାକୁ ଆବଶ୍ୟକ ଥିବାବେଳେ ବହୁ ଶିକ୍ଷାନୁଷ୍ଠାନ କେତେକ ସର୍ତ୍ତ ପୂରଣ କରି ଅନ୍ୟ ସର୍ତ୍ତ ଭବିଷ୍ୟତରେ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇ ଅସ୍ଥାୟୀ ସ୍ୱୀକୃତି ପାଇ ଚାଲିଛନ୍ତି । ଏଭଳି ପରିସ୍ଥିତିରେ ୨୦୨୦ ଜୁଲାଇ ୨୮ରେ ଉଚ୍ଚଶିକ୍ଷା ନିର୍ଦ୍ଧେଶକ ଆଦେଶନାମା ଜାରି କରି ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡ଼ିକର ସରଜ୍‌ମିିନ୍ ସ୍ଥିତି ଅନୁଧ୍ୟାନ ପାଇଁ ଆଦେଶ ଦେଇଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଏଭଳି କରାଯିବା ସମ୍ଭବ ନଥିବାରୁ ଏହି ଶିକ୍ଷା ବର୍ଷ ପାଇଁ ପୂର୍ବ ବର୍ଷ ସ୍ଥିତି ଆଧାରରେ ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନର ସ୍ୱୀକୃତି ଅବଧି ବୃଦ୍ଧି କରିବା ସହିତ କୋଭିଡ଼ ୧୯କୁ ଦେଖି ଏଥିପାଇଁ ସରକାର ସ୍ପଷ୍ଟ ନିୟାମାବଳୀ ଜାରି କରିବା ଉଚିତ୍ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।

ମାମଲାରେ ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା ସଚିବ, ନିର୍ଦ୍ଦେଶକ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ମାଧ୍ୟମିକ ଶିକ୍ଷା ନିଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନୀଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି ।

Related Posts