ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ ପ୍ରସଙ୍ଗ; ୨୧ରେ ହାଇକୋର୍ଟରେ ହେବ ସ୍ୱତନ୍ତ୍ର ଶୁଣାଣି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ ପ୍ରସଙ୍ଗର ଚର୍ଚ୍ଚା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଡାକ୍ତର ପଦବି ପୂରଣ ସହିତ ରୋଗୀଙ୍କ ପାଇଁ ରହିଥିବା ସୁବିଧା ପ୍ରସଂଗରେ ମେ ୨୧ରେ ହାଇକୋର୍ଟରେ ସ୍ବତନ୍ତ୍ର ଶୁଣାଣି ହେବ। ମେ ୨୧ରୁ ଗ୍ରୀଷ୍ମ ଅବକାଶ ଛୁଟି ଆରମ୍ଭ ହେଉଥିଲେ ମଧ୍ୟ ହାଇକୋର୍ଟ ସ୍ବତନ୍ତ୍ର ଭାବେ ବସି ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଂଗରେ ଶୁଣାଣି କର‌ିବେ। ଆଜି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଇନଜୀବୀ ଚିତ୍ତରଂଜନ ମହାନ୍ତିଙ୍କ ମାମଲାର ଶୁଣାଣି ସମୟରେ ଜିଲ୍ଲା ଆଇନସେବା ପ୍ରାଧିକରରଣ (ଡିଏଲଏସ) ରିପୋର୍ଟ ଉପରେ ଜବାବ ରଖିବାକୁ ସରକାର ଅଧିକ ସମୟ ଲୋଡିଥିଲେ।

ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଂଗରେ ଇତିମଧ୍ୟରେ ତିନି ମାସ ବିତି ଯାଇଥିଲେ ମଧ୍ୟ ଡିଏଲଏସ ରିପୋର୍ଟ ଉପରେ ସରକାର ଜବାବ ନ ରଖିବା ଘଟଣାକୁ ନେଇ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ମେ ୨୧କୁ ଧାର‌୍ୟ୍ୟ କରିଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଖାଲି ପଡିଥିବା ଡାକ୍ତର ପଦବି ଓ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା ସଂକ୍ରାନ୍ତରେ ସରକାର ଜବାବ ରଖିବେ ବୋଲି ହାଇକୋର୍ଟ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts