ରାହୁଲ ଗାନ୍ଧୀଙ୍କୁ ବୋମା ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ଦେଇଥିବା ବ୍ୟକ୍ତି ଗିରଫ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତ ଯୋଡ଼ ଯାତ୍ରା ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ବୋମା ବିସ୍ଫୋରଣରେ ଉଡ଼ାଇ ଦେବାର ଧମକ ଦେଇଥିବା ବ୍ୟକ୍ତିକୁ ଆଜି ମଧ୍ୟପ୍ରଦେଶ ପୁଲିସ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକର ପରିଚୟ ହେଲା ନରେନ୍ଦ୍ର ସିଂହ(ଦୟା)। ଉଜ୍ଜୟୀନ ଜିଲ୍ଲା ନାଗଡ଼ାରୁ ତାକୁ ଆଜି ପୁଲିସ୍ ଗିରଫ କରିଛି। ଉଜ୍ଜୟୀନ ପୁଲିସ୍‌ ତା’କୁ ପ୍ରଥମେ ଗିରଫ କରିବା ପରେ ଇନ୍ଦୋର ପୁଲିସ୍‌କୁ ହସ୍ତାନ୍ତର କରିଛି।

ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରା ମଧ୍ୟପ୍ରଦେଶର ଇନ୍ଦୋରରେ ପ୍ରବେଶ କରିବା ମାତ୍ରେ ତାଙ୍କୁ ବୋମା ବିସ୍ଫୋରଣରେ ଉଡ଼ାଇ ଦିଆଯିବ ବୋଲି ନରେନ୍ଦ୍ର ସିଂହ ଏକ ଚିଠି ଯୋଗେ ଧମକ ଦେଇଥିଲା। ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ମଧ୍ୟପ୍ରଦେଶ ପୁଲିସ୍‌ ଯାଞ୍ଚ ଆରମ୍ଭ କରିଥିଲା। ବିଭିନ୍ନ ହୋଟେଲ, ଲଜ ଓ ରେଳ ଷ୍ଟେସନରେ ଲାଗିଥିବା ପ୍ରାୟ ୨୦୦ଟି ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା। ଏହି ସମୟରେ ନରେନ୍ଦ୍ର ସମ୍ପର୍କରେ ପୁଲିସକୁ ସୁରାକ ମିଳିଥିଲା। ଏହି ତଥ୍ୟକୁ ଆଧାର କରି ତା’କୁ ଆଜି ନାଗଡ଼ାରୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ନରେନ୍ଦ୍ର ସିଂହର ଜନ୍ମ ସ୍ଥାନ ହେଉଛି ଉତ୍ତର ପ୍ରଦେଶର ରାଏବରେଲୀ। ସେ ମଧ୍ୟପ୍ରଦେଶରେ ରହି କାମ କରେ। ଏହାପୂର୍ବରୁ ମଧ୍ୟ ସେ ଚିଠି ଓ ଫୋନ ଯୋଗେ ବିଭିନ୍ନ ଲୋକଙ୍କୁ ଧମକଚମକ ଦେଇଥିବା ପୁଲିସ୍ କହିଛି। ଏବେ ତାକୁ ପୁଲିସ୍‌ ଗିରଫ କରି ଅଧିକ ତଦନ୍ତ କରୁଛି। ଗତ ନଭେମ୍ବର ୧୮ରେ ଇନ୍ଦୋରର ଜୁନି ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ଏକ ମିଠା ଦୋକାନ ବାହାରୁ ଏପରି ଧମକପୂର୍ଣ୍ଣ ଚିଠି ମିଳିଥିଲା। ଏହାପରେ ପୁଲିସ୍‌ ପୁଲିସ୍‌ ୫୦୭ ଦଫା ଅନୁସାରେମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ବିରୋଧରେ ଏନଏସଏ ମଧ୍ୟ ଲାଗିବ ବୋଲି ପୁଲିସ କହିଥିଲା।

ଚିଠିରେ କୁହାଯାଇଥିଲା ଯେ ରାହୁଲ ଗାନ୍ଧି ଇନ୍ଦୋରରେ ପାଦ ରଖିବା କ୍ଷଣି ପୂରା ସହରରେ ବୋମା ବିସ୍ଫୋରଣ ହେବ। ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଗୁଳି କରାଯିବ ଓ ବିସ୍ଫୋରଣରେ ରାହୁଲ ଗାନ୍ଧିଙ୍କୁ ହତ୍ୟା କରାଯିବ। ବାପା ରାଜୀବ ଗାନ୍ଧି ଯେଉଁଭଳି ଦଶା ଭୋଗିଛନ୍ତି, ଏବେ ପୁଅ ରାହୁଲ ଗାନ୍ଧି ସମାନ ରାସ୍ତାରେ ଯିବେ ବୋଲି ଚିଠିରେ ଧମକ ମିଳିଥିଲା।

Related Posts