ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଶ୍ଳୀଳ ଫଟୋ ଭାଇରାଲ ହେବାପରେ ଲୋକଲଜ୍ଜାକୁ ଡରି ଶେଷରେ ଜୀବନ ହାରିଛନ୍ତି ଜଣେ ନାବାଳିକା। ହେଲେ ଏହା ପୂର୍ବରୁ ନିଜ ଆତ୍ମହତ୍ୟାର କାରଣ ସମ୍ପର୍କରେ ଥାନା ଅଧିକାରୀଙ୍କୁ ଲେଖି ଜଣାଇବା ସହ ଏହା ପଛରେ ଥିବା ଯୁବକଙ୍କ ନାଁ ବି ଜଣାଇ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳର ଖଜୁରୀପଡ଼ାରେ ଏପରି ଅଭାବନୀୟ ଘଟଣା ଘଟିଛି।
ସୂଚନାଯୋଗ୍ୟ, ନାବାଳିକାଜଣକ ଯୁକ୍ତ ୨ ରେ ପଢ଼ୁଥିବା ବେଳେ ତାଙ୍କର କିଛି ଅଶ୍ଳୀଳ ଫଟୋ କିଛି ଦିନ ହେବ ଭାଇରାଲ ହେବାରେ ଲାଗିଥିଲା। ଖଜୁରୀପଡ଼ାର ଜଣେ ଯୁବକ ଏହି ସବୁ ଫଟୋ ଭାଇରାଲ କରିଥିବା ବେଳେ ଯୁବତୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ମାରିଦେବାକୁ ବି ଧମକ ଦେଉଥିଲେ। ଏହାକୁ ନେଇ ଗାଁରେ ଟାହିଟାପରା ହେବାରୁ ମୁଣ୍ଡ ଟେକି ଚାଲି ପାରିଲେନି ପରିବାର ଲୋକେ।
ଏନେଇ ପରିବାର ଲୋକେ ନିରାକାରପୁର ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍ କିନ୍ତୁ ଏଥିରେ କୌଣସି ତତ୍ପରତା ଦେଖାଇ ନ ଥିଲା। ଏହି ଘଟଣା ଯୋଗୁ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ନାବାଳିକାଜଣକ ଶେଷରେ ଗତ ରାତିରେ ବିଷ ପିଇ ଦେଇଥିବା ଜଣାପଡ଼ିଛି। ପରିବାର ଲୋକେ ତୁରନ୍ତ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି।
ଏହି ଘଟଣା ପରେ ଆଜି ସକାଳେ ଖୋର୍ଦ୍ଧା ଏସଡିପିଓ, ନିରାକାରପୁର ଥାନା ଆଇଆଇସିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏନେଇ ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ୍ କାହିଁକି ଅଭିଯୁକ୍ତଙ୍କୁ ଧରିବାକୁ ତତ୍ପରତା ଦେଖାଇଲା ନାହିଁ ତାହା ଏବେ ତଦନ୍ତସାପେକ୍ଷ । ହୁଏତ ପୁଲିସ୍ ତତ୍କ୍ଷଣାତ ପଦକ୍ଷେପ ଗ୍ରହଣ କରିଥିଲେ ଆଜି ନାବାଳିକାଜଣକ ଜୀବନ ହାରି ନ ଥାନ୍ତେ ବୋଲି ଚର୍ଚ୍ଚା ହେଉଛି।
