ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ମୌସୁମୀ ଅଧିବେଶନକୁ ନେଇ ସରକାର ଓ ବିରୋଧୀ ଦଳ ଉଭୟଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ଅଧିବେଶନ କାଳରେ ସଂସଦରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଆଜି ପ୍ରଥମ ଦିନରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ସାଂସଦମାନେ ସଂସଦ ଭବନର ମତଦାନ କେନ୍ଦ୍ରରେ ଭୋଟ ଦେବେ।ଜୁଲାଇ ୨୧ରେ ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ହେବ। ସେହିପରି ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦ ରେ ଭୋଟ ଗ୍ରହଣ ହେବ।

ଏହି ମୌସୁମୀ ଅଧିବେଶନ କାଳରେ ସରକାର ସଂସଦରେ ୨୪ ବିଲ୍‌ ଆଗତ କରିବେ ବୋଲି ସୂଚନା ମିଳିଛି। ଆଗତ ହେବାକୁ ଥିବା ବିଧେୟକ ମଧ୍ୟରେ କ୍ୟାଣ୍ଟନମେଣ୍ଟ ବିଲ୍‌, ମଲଟି ଷ୍ଟେଟ୍ କୋ-ଅପରେଟିଭ୍ ବିଲ୍‌, ପ୍ରମୋସନ ଆଣ୍ଡ ଡେଭଲପମେଣ୍ଟ ବିଲ୍‌, ସ୍ବତନ୍ତ୍ର ଅର୍ଥନୈତିକ ଜୋନ ଆଇନ ୨୦୦୫ର ସଂଶୋଧନ ବିଲ୍‌ ଆଦି ପ୍ରମୁଖ। ଏହା ସହିତ ଛତିଶଗଡ ଓ ତାମିଲନାଡୁର ଅନୁସୂଚିତ ଜାତି ଓ ଜନଜାତି ତାଲିକାର ନବୀକରଣ ନିମନ୍ତେ ଦୁଇଟି ସମ୍ବିଧାନ ସଂଶୋଧନ ବିଧେୟକ ଆଗତ କରାଯିବାକୁ ଅଛି। ବହୁ ଗୁରୁତ୍ବପୂର୍ଣ୍ଣ ୧୫୫ ବର୍ଷର ପୁରୁଣା ପ୍ରେସ୍ ଆଣ୍ଡ ରେଜିଷ୍ଟ୍ରେସନ ଅଫ୍ ବୁକ୍ସ ଆକ୍ଟର ପରିବର୍ତ୍ତନ ପୂର୍ବକ ନୂଆ ଆଇନ ପାଇଁ ବିଧେୟକ ଆଗତ କରାଯିବ। ୨୪ଟି ନୂଆ ବିଧେୟକ ସହିତ ଗୃହର ଅନୁମୋଦନ ଅପେକ୍ଷାରେ ପଡି ରହିଥିବା ୮ଟି ବିଧେୟକକୁ ଗୃହୀତ ଲାଗି ସରକାର ଯୋଜନା ରଖିଛନ୍ତି। ଏହିପରି ମୋଟ ଉପରେ ୩୨ଟି ବିଧେୟକକୁ ଗୃହୀତ କରାଇବା ଉପରେ ସରକାର ଗୁରୁତ୍ବ ଦେବେ ବୋଲି ଜଣା ପଡ଼ିଛି। ସେହିପରି ଏହି ଅଧିବେଶନରେ ସରକାରଙ୍କୁ ଘେରିବା ଲାଗି ବିରୋଧୀ ଦଳଗୁଡିକ ପକ୍ଷରୁ ମଧ୍ୟ ଯୋଜନା ହୋଇଛି। ମୁଦ୍ରାସ୍ଫୀତି, ତୈଳ ଦରବୃଦ୍ଧି, ଅଗ୍ନିପଥ ଯୋଜନା, ବେରୋଜଗାରୀ, କୃଷକଙ୍କ ସମସ୍ୟା ଓ ଟଙ୍କାର ମୂଲ୍ୟ ହ୍ରାସ ଭଳି ପ୍ରସଙ୍ଗରେ ବିରୋଧୀ ଆଲୋଚନା କରିବାକୁ ସରକାରଙ୍କ ଉପରେ ଚାପ ପକାଇବେ। ବିରୋଧୀ ଦଳଗୁଡିକ ପକ୍ଷରୁ କୁହାଯାଇଛି ଯେ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରିବା ଲାଗି ସରକାରଙ୍କ ଉପରେ ଚାପ ପକାଯିବ। ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ସରକାରୀ ଏଜେନ୍ସି ଗୁଡିକର ଅପବ୍ୟବହାର କରାଯିବା ପ୍ରସଙ୍ଗ ବିରୋଧୀ ଦଳଗୁଡିକ ସଂସଦରେ ଉପସ୍ଥାପନ କରିବେ।

ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ସରକାର ସମସ୍ତ ରାଜନୈତିକ ଦଳଗୁଡିକର ସହଯୋଗ ଲୋଡିଛନ୍ତି। ଏଥିପାଇଁ ସର୍ବଦଳୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ପକ୍ଷରୁ ଆହୂତ ସର୍ବଦଳୀୟ ବୈଠକରେ ୩୬ଟି ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇଥିଲେ। ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀ ଦଳଗୁଡିକ ଆପତ୍ତି ଉଠାଇଥିଲେ। ସେହିପରି ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରିବା ଲାଗି ବିରୋଧୀ ଦଳଗୁଡିକ ପକ୍ଷରୁ ମିଳିତ ଭାବେ ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ତେବେ ଆଜିଠାରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୨ରେ ଶେଷ ହେବ।

Related Posts