ବିକାଶର ନଗ୍ନ ଚିତ୍ର; ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ, ମୃତଦେହକୁ ୫ କିମି ଵୋହିଲେ ପରିବାର ଲୋକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କନ୍ଧମାଳ ଜିଲା ଫୁଲବାଣୀ ସହରଠାରୁ ମାତ୍ର ୫ କି.ମି. ଦୂର ଏକ ଗାଁକୁ ରାସ୍ତା ନ ଥିବାରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ମୃତଦେହକୁ କାନ୍ଧରେ ବୁହାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରୁ ଦେବେଶ୍ୱର କହଁର(୬୦)ଙ୍କ ମୃତଦେହକୁ କୋକେଇରେ ରଖି କାନ୍ଧରେ ନିଜ ଗ୍ରାମ ଫୁଲବାଣୀ ବ୍ଲକ ତୁଡ଼ିପାଜୁ ପଞ୍ଚାୟତ ତାଡପଙ୍ଗା ଗ୍ରାମ ଶ୍ମଶାନକୁ ଆଣି ଅନ୍ତିମ ସଂସ୍କାର କରାଯାଇଛି। ମୃତଦେହକୁ ଆଣିବା ବେଳେ ଦୁଇଟି ନଦୀ, ୩ଟି ପାହାଡ଼ ମଧ୍ୟ ଅତିକ୍ରମ କରିବାକୁ ପଡ଼ିଛି।

ସୂଚନାଅନୁସାରେ, କନ୍ଧମାଳ ଜିଲ୍ଲାର ତାଡ଼ପଙ୍ଗା ଗ୍ରାମର ଦେବେଶ୍ୱରଙ୍କୁ ସୋମବାର ହଠାତ ପକ୍ଷାଘାତ ହୋଇଥିଲା। ଏହାପରେ ପରିବାର ଲୋକେ ତାଙ୍କୁ ୫ କି.ମି. ଭାରରେ କାନ୍ଧେଇ ଡକାଙ୍ଗି ଯାଏ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ମଙ୍ଗଳବାର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଫୁଲବାଣୀ ଆଇଟିଆଇ ପାଖ ରାସ୍ତା ଦେଇ ପ୍ରାୟ ୨୦ କି.ମି. ରାସ୍ତା ଅତିକ୍ରମ କରି ଡକାଙ୍ଗି ପର୍ଯ୍ୟନ୍ତ ଅଣାଯାଇଥିଲା। ସେଠାରୁ ଆଉ ଗାଁକୁ ରାସ୍ତା ନ ଥିବାରୁ ଲୋକେ କୋକେଇରେ ୫ କି.ମି. କାନ୍ଧେଇ ଗ୍ରାମକୁ ନେଇଥିଲେ।

ତେବେ କେବଳ ମୃତଦେହ ନୁହେଁ ଗର୍ଭବତୀଙ୍କୁ ମେଡିକାଲ ଆଣିବା ପାଇଁ ମଧ୍ୟ ଭାରରେ ନେବାକୁ ପଡୁଛିା ଗାଁରୁ ୫/୬ କି.ମି ଭାରରେ ଆସିବା ପରେ ଆମ୍ବୁଲାନ୍ସ ମିଳିଥାଏ । ସବୁବେଳେ ଏପରି ସମ୍ଭବ ହେଉ ନ ଥିବାରୁ ବାଟରେ ପ୍ରସବ ହୋଇଥାଏ। ପ୍ରସୂତି ଏବଂ ନବଜାତକଙ୍କ ଜୀବନ ପ୍ରତି ବିପଦ ରହିଥାଏ। ଏପରି ଅନେକ ଘଟଣା ଘଟୁଛି । ରାସ୍ତା ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ସୁଫଳ ମିଳୁନି ଏହା ରାଜ୍ୟ ବିକାଶର ନଗ୍ନ ଚିତ୍ରକୁ ପ୍ରଦର୍ଶିତ କରୁଛି ବୋଲି ଗ୍ରାମବାସୀ ମାନେ କହିଛନ୍ତି।

Related Posts