ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଭାରତୀୟମାନଙ୍କ ପାଇଁ ୩୦୦୦ ବ୍ରିଟିସ୍‌ ଭିସା ମଞ୍ଜୁର କଲେ ଋଷି ସୁନକ୍‌

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବ୍ରିଟେନ୍‌ରେ କାର୍ଯ୍ୟ କରିବା ନିମନ୍ତେ ପ୍ରତିବର୍ଷ ଭାରତରୁ ୩୦୦୦ ଯୁବ ବିଶେଷଜ୍ଞଙ୍କ ପାଇଁ ‘ଭିସା’ ଯୋଗାଇ ଦେବା ପ୍ରସ୍ତାବକୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ମଞ୍ଜୁର କରିଛନ୍ତି।

ଗତବର୍ଷ ହୋଇଥିବା ‘ୟୁକେ-ଇଣ୍ଡିଆ ମାଇଗ୍ରେସନ୍‌’ ଏବଂ ‘ମୋବିଲିଟି ପାର୍ଟନର୍‌ସିପ୍‌’ ରାଜିନାମାର ସାମର୍ଥ୍ୟ ଉପରେ ଗୁରୁତ୍ବାରୋପ କରି ବ୍ରିଟିସ୍‌ ସରକାର କହିଛନ୍ତି ଯେ, ଏହି ଯୋଜନାରୁ ଲାଭ ପାଇବାରେ ଭାରତ ହେଉଛି ପ୍ରଥମ ‘ଭିସା-ନ୍ୟାସ୍‌ନାଲ୍‌’ ଦେଶ।

ଏନେଇ ଟୁଇଟ୍‌ କରି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ, ଆଜି ‘ୟୁକେ-ଇଣ୍ଡିଆ ୟଙ୍ଗ୍‌ ପ୍ରଫେସ୍‌ନାଲ୍‌ ସ୍କିମ୍’ ସୁନିଶ୍ଚିତ କରାଗଲା। ଇଂଲଣ୍ଡ୍‌କୁ ଆସି ୨ ବର୍ଷ ପର୍ଯ୍ୟନ୍ତ ରହି କାର୍ଯ୍ୟ କରିବା ଲାଗି ୧୮ରୁ ୩୦ ବର୍ଷ ବୟସ୍କ ଡିଗ୍ରି-ଏଡୁକେଟେଡ୍‌ ଭାରତୀୟ ନାଗରିକମାନଙ୍କୁ ୩୦୦୦ ନିଯୁକ୍ତି ମିଳିବ।

ଉଲ୍ଲେଖଯୋଗ୍ୟ, ‘ଜି୨୦ ଶିଖର ସମ୍ମିଳନୀ’ର ସପ୍ତଦଶ ଅଧିବେଶନ ପାଇଁ ଉଭୟ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଇଣ୍ଡୋନେସିଆ ଗସ୍ତରେ ଅଛନ୍ତି। ଏହି ଅବସରରେ ଉଭୟ ନେତା ଗତକାଲି ପରସ୍ପରକୁ ଭେଟିଥିଲେ। ଏହି ସାକ୍ଷାତକାରର କିଛି ସମୟ ପରେ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ (ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ)ରେ ଉପରୋକ୍ତ ଘୋଷଣା କରାଯାଇଛି।

ତେବେ ଗତମାସରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇ ନିଯୁକ୍ତି ପାଇବା ପରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍‌ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ।

ଏହି ସାକ୍ଷାତକାର ସମୟର ଫୋଟୋ ଟୁଇଟ୍‌ କରି ଭାରତର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲେଖିଛି ଯେ, ବାଲିରେ ‘ଜି୨୦ ଶିଖର ସମ୍ମିଳନୀ’ର ପ୍ରଥମ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଋଷି ସୁନକ୍‌ ଆଳାପ କରୁଛନ୍ତି।

Related Posts