ଆଜିଠୁ ଲାଗୁହେଲା ଫାସଟ୍ୟାଗର ନୂଆ ନିୟମ; ବଦଳିବ ୫ବର୍ଷରୁ ଅଧିକ ପୁରୁଣା ଫାସଟ୍ୟାଗ..

 

ଭୁବନେଶ୍ୱର,୧/୮(ସତ୍ୟପାଠ ବ୍ୟୁରୋ):   ଆଜିଠୁ ଫାସଟ୍ୟାଗକୁ ନେଇ ଦେଶରେ ଲାଗୁହେଲା ନୂଆ ନିୟମ । ତିନିରୁ ପାଞ୍ଚ ବର୍ଷ ପୂର୍ବେ ଜାରି କରାଯାଇଥିବା ଫାସଟ୍ୟାଗର କେୱାଇସି ପ୍ରକ୍ରିୟା ପୁରଣ କରିବାକୁ ପଡ଼ିବ। ଏହି ପ୍ରକ୍ରିୟାରେ ପାଞ୍ଚ ବର୍ଷରୁ ପୁରୁଣା ସମସ୍ତ ଫାସଟ୍ୟାଗକୁ ସମ୍ପୂର୍ଣ୍ଣ ବଦଳାଇବାକୁ ପଡ଼ିବ। ଆଜିଠୁ ଫାସଟ୍ୟାଗ ସହ ଗାଡ଼ିର ପଞ୍ଜୀକରଣ ନମ୍ବର ଓ ଚେଚିସ ନମ୍ବର ମଧ୍ୟ ଯୋଡି ହେବ। ଏବେ ଏକ ନୂଆ ଗାଡ଼ି କିଣିଲେ ୯୦ ଦିନ ମଧ୍ୟରେ ଏହାର ପଞ୍ଜିକରଣ ସମ୍ପର୍କିତ ସବିଶେଷ ତଥ୍ୟ ଅପଲୋଡ କରିବା ଅନିବାର୍ଯ୍ୟ ହେବ। ଯଦି ନିର୍ଦ୍ଧାରିତ ଅବଧିରେ ଏହା ନ ହୁଏ ତେବେ ଗାଡ଼ିକୁ ୱାଚ୍ ଲିଷ୍ଟରେ ପକାଇ ଦିଆଯିବ। ଏହା ସତ୍ତ୍ୱେ ଯଦି ନମ୍ବର ଅପଡେଟ୍ ନ ହୁଏ ତେବେ ଏହାର ଫାସଟ୍ୟାଗ୍‌କୁ କଳା ତାଲିକାଭୁକ୍ତ କରିଦିଆଯିବ।

ସେହିପରି ଆଗକୁ ଏହି ଫାସଟ୍ୟାଗ ବ୍ୟବସ୍ଥା ଇତିହାସ ପାଲଟିବାକୁ ଯାଉଥିବା ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ।

ଏଣିକି ସାଟେଲାଇଟ ମାଧ୍ୟମରେ କଟିବ ଟୋଲ ଟ୍ୟାକ୍ସ । ପ୍ରଥମ ପର୍ଯ୍ୟାୟରେ ବଛାଯାଇଥିବା ଦେଶର କେତେକ ଟୋଲ ଗେଟରେ ଫାସଟ୍ୟାଗ ସିଷ୍ଟମ ସହ ଏହାକୁ ପାଇଲଟିଂ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରାଯିବ। ଜିଏନଏସଏସ ଅଧାରିତ ଟୋଲ କଲେକ୍ସନ ଫାସଟ୍ୟାଗ ଠାରୁ ମଧ୍ୟ ଆହୁରି ଦ୍ରୁତ ହେବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ପୂର୍ବରୁ କ୍ୟାସ ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ଫାସଟ୍ୟାଗ ମାଧ୍ୟମରେ ଟୋଲଟ୍ୟାକ୍ସ ଭରୁଛନ୍ତି ଗାଡ଼ି ଚାଳକ । 

ସୂଚନାଯୋଗ୍ୟ, ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଫାସଟ୍ୟାଗକୁ ନେଇ ଗତ ଜୁନ ମାସରେ ବିସ୍ତୃତ ମାର୍ଗଦର୍ଶିକା ଜାରି କରିଥିଲା। ଏହି ଅନୁସାରେ ଫାସଟାଗ୍ ସେବା ପ୍ରଦାନକାରୀ କମ୍ପାନୀଗୁଡିକୁ ଅକ୍ଟୋବର ୩୧ ସୁଦ୍ଧା ୫ ଓ ୩ ବର୍ଷ ପୁରୁଣା ସବୁ ଫାସଟ୍ୟାଗ୍‌ କେୱାଇସି ପ୍ରକ୍ରିୟା ପୁରଣ କରିବାକୁ ହେବ। ଏଥିପାଇଁ ୧ ଅଗଷ୍ଟଠାରୁ ସମସ୍ତ ଫାସଟ୍ୟାଗ୍‌କୁ ଗାଡ଼ିର ପଞ୍ଜୀକରଣ ନମ୍ବର ଏବଂ ଚେସିସ୍‌ ନମ୍ବର ସହ ସଂଯୋଗୀକରଣ କରିବାକୁ ହେବ। କମ୍ପାନୀଗୁଡିକୁ ସବୁ ସର୍ତ୍ତ ପୂରଣ ନିମନ୍ତେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଫାସଟ୍ୟାଗ୍ ସେବା ପ୍ରଦାନକାରୀ କମ୍ପାନୀଙ୍କ ପକ୍ଷରୁ ଶୁଳ୍କ ମଧ୍ୟ ଏନସିପିସିଆଇ ଦ୍ୱାରା ଧାର୍ଯ୍ୟ ହେବ। ଏଥିରେ ଫାସଟ୍ୟାଗ୍ ଜାରି କରିବା, ସିକ୍ୟୁରିଟି ଡିପୋଜିଟ୍ ଓ ସର୍ବନିମ୍ନ ରିଚାର୍ଜ ଶୁଳ୍କ ମଧ୍ୟ ସାମିଲ ହେବ। କେତେକ ଫାସଟ୍ୟାଗ କମ୍ପାନୀ ଏହି ନିୟମ ମଧ୍ୟ ଯୋଡିଛନ୍ତି ଯେ ଫାସଟ୍ୟାଗ୍‌କୁ ସକ୍ରିୟ ରଖିବା ଲାଗି ୩ ମାସରେ ଅନୂନ୍ୟ ଗୋଟିଏ ନେଣଦେଣ ଜରୁରି। ଯଦି ନେଣଦେଣ ନ ହୁଏ ତେବେ ଫାସଟାଗ୍ ନିଷ୍କ୍ରିୟ ହୋଇଯିବ ଓ ଏହାକୁ ସକ୍ରିୟ କରିବା ପାଇଁ ପୋର୍ଟାଲକୁ ଯିବାକୁ ପଡିବ। ତେବେ ଏହି ନିୟମ ସେହି ଲୋକଙ୍କ ନିମନ୍ତେ ସମସ୍ୟା ହୋଇପାରେ ଯେଉଁମାନେ କମ ଦୂରତା ଯାତାୟାତ କରୁଛନ୍ତି ଓ ତାଙ୍କ ରାସ୍ତାରେ ଟୋଲ ଗେଟ୍ ନାହିଁ। ଯଦି ଫାସଟ୍ୟାଗ୍ କେୱାଇସି ଓ ଅନ୍ୟ ସର୍ତ୍ତଗୁଡିକ ପୁରଣ ନ ହୁଏ ତେବେ ତାକୁ କଳା ତାଲିକାଭୁକ୍ତ କରାଯାଇପାରେ।

Related Posts