ନୂତନ ସଂସଦ ଭବନ ହେଉଛି ଏକ ଆବଶ୍ୟକତା : ଲୋକସଭା ବାଚସ୍ପତି ଓମ ବିର୍ଲା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ କିଛି ଦିନ ତଳେ କରୋନା କାଳରେ ନୂତନ ସଂସଦ ଭବନ ନିର୍ମାଣକୁ ନେଇ କିଛି ବୁଦ୍ଧିଜୀବୀ ଆପତ୍ତି କରିଥିଲେ। ଏହାକୁ ନେଇ ଖୁବ୍ ବିବାଦ ସୃଷ୍ଟି ହୋଇଥିଲା। ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଉପରେ ରୋକ୍ ଲଗାଇବା କିଛିଦିନ ତଳେ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଥିଲେ। ଏହା ମଧ୍ୟରେ ଲୋକସଭା ବାଚସ୍ପତି ଓମ ବିର୍ଲା ଶୁକ୍ରବାର ଦିନ ସେଣ୍ଟ୍ରାଲ ଭିସ୍ଟା ପ୍ରୋଜେକ୍ଟ ସମର୍ଥନରେ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶ ପାଇଁ ଏକ ନୂତନ ସଂସଦ ଭବନର ଆବଶ୍ୟକତା ରହିଛି । ୨୦୨୨ରେ ସଂସଦର ଅଧିବେଶନ ଏହି ନୂତନ ସଂସଦ ଭବନରୁ ଆରମ୍ଭ ହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏତଦ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତିଙ୍କ ପାଇଁ ନୂତନ ଆବାସ ନିର୍ମାଣ ହେବ। ଏହା ସହ ଅନ୍ୟାନ୍ୟ ମନ୍ତ୍ରଣାଳୟ ପାଇଁ କାର୍ଯ୍ୟାଳୟ ନିର୍ମାଣ ହେବାର ଯୋଜନା ରହିଛି । ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ଲୋକସଭା କିମ୍ବା ରାଜ୍ୟସଭାରେ କୌଣସି ସାଂସଦ ନୂତନ ସଂସଦ ଭବନ ନିର୍ମାଣକୁ ବିରୋଧ କରି ନାହାଁନ୍ତି। ନୂତନ ସଂସଦ ଭବନ ଏକ ଆବଶ୍ୟକତା ବୋଲି ବିର୍ଲା କହିଛନ୍ତି । ଏହାର ନିର୍ମାଣ କାର୍ଯ୍ୟ ଅକ୍ଟୋବର 2022 ସୁଦ୍ଧା ଶେଷ ହେବ ବୋଲି ସେ କହିଛନ୍ତି । ବିର୍ଲା କହିଛନ୍ତି, “ଆମେ ପ୍ରାରମ୍ଭରେ କାର୍ଯ୍ୟସୂଚୀ ଠାରୁ 27 ଦିନ ଆଗରେ ଥିଲୁ। କିନ୍ତୁ କୋଭିଡ୍ -19 ମହାମାରୀର ଦ୍ୱିତୀୟ ଲହର ଆରମ୍ଭ ହେବା ପରେ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଠାରୁ ୧୬ ଦିନ ପଛରେ ଅଛି।” କୋଭିଡ୍ ର ଦ୍ୱିତୀୟ ତରଙ୍ଗ ପାଇଁ ବିରୋଧୀ ଦଳ ଗୁଡ଼ିକ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଇବା ପାଇଁ ଦାବି କରୁଥିବା ବେଳେ ବିର୍ଲା କହିଛନ୍ତି ଯେ ବର୍ତ୍ତମାନର ସମୟ ପାଇଁ ନୂତନ ସଂସଦ ଭବନର ଆବଶ୍ୟକତା ରହିଛି । ବର୍ତ୍ତମାନ ସଂସଦ ଏକ ଐତିହାସିକ ଭବନ। ଏହି ବିଲ୍ଡିଂରେ ଅନେକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏହାକୁ ଆଗକୁ ବ୍ୟବହାର କରାଯାଇପାରିବ ନାହିଁ। ତେଣୁ ଏକ ନୂତନ ଭବନର ଆବଶ୍ୟକତା ରହିଛି ।” ବିର୍ଲା ଆହୁରି ମଧ୍ୟ କହିଛନ୍ତି ଯେ ଲୋକସଭା ଓ ରାଜ୍ୟସଭା ସଦସ୍ୟମାନେ ଏକ ନୂତନ ସଂସଦ ଭବନ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଯେତେବେଳେ ଉଭୟ ଗୃହ ଦ୍ୱାରା ଏକ ନୂତନ ସଂସଦ ଭବନ ପାଇଁ ଅନୁରୋଧ କରାଯାଇଥିଲା, ସେତେବେଳେ କୌଣସି ସାଂସଦ ଏହାକୁ ବିରୋଧ କରିନାହାଁନ୍ତି। ଏହାକୁ ବିରୋଧ କରିବାକୁ କେହି ମୋ ପାଖକୁ ଆସିନାହାଁନ୍ତି ବୋଲି ସେ କହିଛନ୍ତି। ” ସୂଚନାଯୋଗ୍ୟ, CPWD ଦ୍ବାରା ଦାଖଲ ତଥ୍ୟ ଅନୁଯାୟୀ, ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ ନଭେମ୍ବର 2022 ସୁଦ୍ଧା, ଉପ-ରାଷ୍ଟ୍ରପତିଙ୍କ ଏନକ୍ଲେଭ ମେ 2022 ସୁଦ୍ଧା ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଏବଂ ଏସପିଜି ବିଲଡିଂ ଡିସେମ୍ବର 2022 ସୁଦ୍ଧା ଶେଷ ହେବାର ଯୋଜନା ରହିଛି। ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଇବା ପାଇଁ ଦାବି ହେଉଥିବା ବେଳେ ଏହି ସ୍ଥାନକୁ ବ୍ଲକ୍ କରାଯିବ ସହ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ଉପରେ ମଧ୍ୟ ରୋକ୍ ଲଗାଯାଇଥିଲା।

Related Posts