ଖୁବଶୀଘ୍ର ରାସ୍ତାରୁ ହଟିବ ପୁରୁଣା ଡିଜେଲ ବସ !

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖୁବଶୀଘ୍ର ରାସ୍ତାରୁ ହଟିବ ପୁରୁଣା ଡିଜେଲ ବସ ! ଏନେଇ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାୟ ୩୨ ହଜାର ପୁରୁଣା ବସ୍ ହଟାଇ ସେହି ସ୍ଥାନରେ ଇଲେକ୍ଟ୍ରିକ୍ ଯାନ ବ୍ୟବହାର କରିବାକୁ କୁହାଯାଇଛି । ସଡକ ପରିବହନ ମନ୍ତ୍ରାଳୟ ଆକଲନ ଅନୁସାରେ ୨୫ଟି ରାଜ୍ୟ ପରିବହନ ସଂସ୍ଥା ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ୩୨,୦୬୨ଟି ବସ୍ ରହିଛି । ଚିଠା ବିଜ୍ଞପ୍ତି ହିସାବରେ ୧୫ ବର୍ଷରୁ ଅଧିକ ପୁରୁଣା ବସର ଆଉ ନବୀକରଣ ହେବ ନାହିଁ । ସେସବୁକୁ ସ୍କ୍ରାପରେ ପରିଣତ କରାଯିବ । ରାଜ୍ୟ ପରିବହନ ସଂସ୍ଥାଗୁଡିକ ପାଖରେ ୧୦ବର୍ଷରୁ ଅଧିକ ପୁରୁଣା ବସ୍ ଗୁଡିକ ବିଏସ୍-୨ ଓ ବିଏସ୍-୩ ଡିଜେଲ ବସ୍ ହୋଇଥିବା ବେଳେ ସେଗୁଡିକ କେବଳ ଅତ୍ୟଧିକ ବାୟୁ ପ୍ରଦୂଷଣ କରୁନାହାନ୍ତି ବଂର ତାହା ଚଳାଇବା ମଧ୍ୟ ବ୍ୟୟବହୁଳ ବ୍ୟାପାର ।

କରୋନା ମହାମାରୀ ବ୍ୟାପିବା ପରେ ପରିବହନ ସଂସ୍ଥାଗୁଡିକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । ତେବେ ନିତି ଆୟୋଗ ଏକ ଏକକ ପ୍ରକ୍ୟୁରମେଣ୍ଟ୍ ପୋର୍ଟାଲ ପ୍ରସ୍ତୁତ କରି ସେଥିରେ ସମସ୍ତ ଅଂଶୀଦାରଙ୍କୁ ଯୋଡିଛି । ସେହି ପୋର୍ଟାଲ ଜରିଆରେ ଦିଲ୍ଲୀ, ବେଙ୍ଗାଲୁରୁ, କୋଲକତା, ହାଇଦ୍ରାବାଦ୍ ଓ ସୁରଟ ୫, ୪୫୦ ଇଲେକ୍ଟ୍ରିକ୍ ବସ୍ ମଗାଇଛନ୍ତି । ୧୨ ମିଟର ଲମ୍ବା ବସର ସର୍ବନିମ୍ନ ମୂଲ୍ୟ କଲୋମିଟର ପିଛା ୪୩ଟଙ୍କା ୪୯ ପଇସା ଓ ୯ମିଟର ବସର ମୂଲ୍ୟ କିଲୋମିଟର ପିଛା ୩୯ ଟଙ୍କା ୨୧ ପଇସା ଧାର୍ୟ୍ୟ କରାଯାଇଛି ।

Related Posts