ଏଣିକି ବ୍ଳକରେ ହେବ ପଞ୍ଚାୟତ ଭୋଟ ଗଣତି, ପ୍ରକାଶ ପାଇଲା ଗେଜେଟ୍ ବିଜ୍ଞପ୍ତି

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଏଣିକି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ୍‌ ଗଣତି ମତଦାନ କେନ୍ଦ୍ରରେ ନୁହେଁ ବରଂ ବ୍ଲକ ମୁଖ୍ୟାଳୟରେ ହେବ।  ଏନେଇ ପଞ୍ଚାୟତିରାଜ ବ୍ୟବସ୍ଥାର ଆଇନରେ ସଂଶୋଧନ କରାଯାଇଛି । ୧୮ତାରିଖରେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଏନେଇ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି। 

ବ୍ଲକ ମୁଖ୍ୟାଳୟରେ ପଞ୍ଚାୟତ ନିର୍ବାଚନ ଭୋଟ୍‌ ଗଣତି ପାଇଁ ଆବଶ୍ୟକୀୟ ୩ଟି ଆଇନରେ ସଂଶୋଧନ କରାଯାଇଛି । ଓଡ଼ିଶା ଜିଲ୍ଲାପରିଷଦ ସଂଶଧୋନ ଆଇନ ୨୦୨୧, ଓଡ଼ିଶା ପଞ୍ଚାୟତ ସମିତି ସଂଶୋଧନ ସମିତି ଓ ଓଡ଼ିଶା ଗ୍ରାମପଞ୍ଚାୟତ ନିର୍ବାଚନ ସଂଶୋଧନ ଆଇନ ୨୦୨୧ ସଂଶୋଧନ କରାଯାଇଛି । ସଂଶୋଧିତ ନିୟମାବଳୀ ଅନୁଯାୟୀ, ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ଶେଷ ହେବା ପରେ ପ୍ରାର୍ଥୀ କିମ୍ବା ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ପ୍ରିଜାଇଡିଂ ଅଫିସର ଭୋଟ ବାକ୍ସକୁ ସିଲ କରିବେ। ଏହାପରେ ଏହାକୁ ବ୍ଲକ ମୁଖ୍ୟାଳୟରେ ଥିବା ଷ୍ଟ୍ରଙ୍ଗ ରୁମ୍‌ କୁ ପଠାଇବେ। ସାରା ରାଜ୍ୟରେ ସମସ୍ତ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଗୋଟିଏ ଦିନରେ ଭୋଟ୍‌ ଗଣତି ହେବ।

ସୂଚନାଯୋଗ୍ୟ ଯେ, ଏହି ନିୟମରେ ସଂଶୋଧନ ପାଇଁ ଗତ ମାସ ୧୮ତାରିଖରେ ଚିଠା ନିୟମାବଳୀ ଜାରି ହୋଇଥିଲା। ଏଥିରେ ଲୋକଙ୍କ ପକ୍ଷରୁ ଆପତ୍ତି ଓ ପ୍ରସ୍ତାବ ମଗାଯାଇଥିଲା। ତେବେ ଲୋକ ମାନଙ୍କ ପକ୍ଷରୁ କୌଣସି ପ୍ରକାର ଆପତ୍ତି ଓ ପ୍ରସ୍ତାବ ନମିଳିବାରୁ ଏବେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। 

Related Posts