ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ଘଟଣା: ମାମଲାର ସିବିଆଇ ତଦନ୍ତ ସୁପାରିସ କଲେ ୟୁପି ସରକାର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଏବେବି ରହସ୍ୟ ଘେରରେ ଅଖିଳ ଭାରତୀୟ ଆଖଡ଼ା ପରିଷଦର ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା। ମହନ୍ତ ନରେନ୍ଦ୍ର ଗିରି ଆତ୍ମହତ୍ୟା ପଛରେ ସାଂଘାତିକ ଷଡ଼ଯନ୍ତ୍ର ହୋଇଥିବା ନେଇ ସନ୍ଦେହ କରାଯାଉଛି। ବିରୋଧୀ ଦଳ ଗୁଡ଼ିକ ମଧ୍ୟ ମାମଲାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରୁଛନ୍ତି। ଏହାରି ମଧ୍ୟରେ ୟୁପିର ଯୋଗୀ ଆଦିତ୍ୟ ନାଥ ସରକାର ମାମଲାର ସିବିଆଇ ତଦନ୍ତ କରିବାକୁ ସୁପାରିସ କରିଛନ୍ତି। ଅଖିଳ ଭାରତୀୟ ଆଖଡ଼ା ପରିଷଦର ଅଧ୍ୟକ୍ଷ ଏବଂ ନିରଞ୍ଜନୀ ଆଖାଡ଼ାର ସଚିବ ମହନ୍ତ ମହେନ୍ଦ୍ର ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିପାଇଁ ଉତ୍ତରପ୍ରଦେଶ ଗୃହ ବିଭାଗ କେନ୍ଦ୍ର ସରକାରଙ୍କୁ ସିବିଆଇ ତଦନ୍ତ ପାଇଁ ଅନୁମତି ମାଗିଛନ୍ତି ।

ଗୃହ ବିଭାଗ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ “ମହନ୍ତ ନରେନ୍ଦ୍ର ଗିରିଙ୍କ ଦୁଃଖଦ ମୃତ୍ୟୁ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ରାଜ୍ୟ ସରକାର ସୁପାରିସ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଏପରି ସୁପାରିସ କରାଯାଇଛି।” 

ଏହାରି ମଧ୍ୟରେ ମହେନ୍ଦ୍ର ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କୁ ଗିରଫ କରି ୟୁପି ପୋଲିସ ହରିଦ୍ୱାର ଠାରୁ ପ୍ରୟାଗରାଜ ନେଇଆସିଛି । ମହନ୍ତ ନରେନ୍ଦ୍ର ଗିରିଙ୍କ ସୁଇସାଇଡ ନୋଟରେ ଆନନ୍ଦ ଗିରିଙ୍କ ସମେତ ଆଉ କିଛି ବ୍ୟକ୍ତିଙ୍କ ନାଁ ଲେଖାଯାଇଛି। ସେମାନେ ତାଙ୍କୁ ହଇରାଣ ଓ ଅପମାନିତ କରୁଥିବା କରୁଥିବାରୁ ସେ ଜୀବନ ହାରୁଥିବା କଥା ଉଲ୍ଲେଖ ରହିଛି। 

ଅନ୍ୟପକ୍ଷରେ ପୁଲିସ୍‌ ୧୮ ଜଣ ଅଧିକାରୀଙ୍କୁ ନେଇ ଏସଆଇଟି ମଧ୍ୟ ଗଠନ କରିଛି। ସୂଚନା ଯୋଗ୍ୟ ଯେ, ସୋମବାର ପ୍ରୟାଗରାଜର ବାନ୍ଧଘରି ମଠରେ ନରେନ୍ଦ୍ର ଗିରିଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା । ତାଙ୍କ ସୁଇସାଇଡ ନୋଟରେ ଆନନ୍ଦ ଗିରିଙ୍କ ବିଷୟରେ ଉଲ୍ଲେଖ ରହିଛି । ଏଣୁ ଉତ୍ତରାଖଣ୍ଡ ପୋଲିସ ଆନନ୍ଦ ଗିରିଙ୍କୁ ହରିଦ୍ୱାରରେ ଗିରଫ କରିଛି ।

Related Posts