ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଦେଶର ଜନସାଧାରଣ ଚାହୁଁଛନ୍ତିସଂସଦ ସ୍ବାଭାବିକ ଭାବେ କାର୍ଯ୍ୟକରୁ । ସଂସଦ ର ମୌସୁମୀ ଅଧିବେଶନର ତୃତୀୟ ଦିନରେ ମଧ୍ୟ ବିରୋଧୀ ମାନେ ସଂସଦ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତୀ ତଳେ ପ୍ରଦର୍ଶନ ଓ ସ୍ଲୋଗାନ ଜାରୀ ରଖିଥିବା ବେଳେ ଏହା କହିଛନ୍ତି ବାଚସ୍ପତି। ସେ ଆହୁରି କହିଛନ୍ତି “ବାହାରେ ଧାରଣା ଦେଇଥିବା ସଦସ୍ୟ ମାନଙ୍କୁ ମୁଁ କହିବାକୁ ଚାହୁଁଛି ସେମାନେ ଗୃହରେ ଆସି ଆଲୋଚନାରେ ଅଂଶଗ୍ରହଣ କରନ୍ତୁ।” ଅଯଥାରେ ବାହାରେ ବିରୋଧ ନ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନାରେ ଅଂଶଗ୍ରହଣ କରିବା ଲାଗି ସେ ସମ୍ପୃକ୍ତ ସାଂସଦଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

ସୂଚନା ଅନୁସାରେ ମୌସୁମୀ ଅଧିବେଶନର ତୃତୀୟ ଦିନରେ ମୁଦ୍ରାସ୍ଫୀତି ଏବଂ ଜିଏସଟି ପ୍ରସଙ୍ଗରେ ସଂସଦରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖାର୍ଗେ, ଅଧିର ରଞ୍ଜନ ଚୌଧୁରୀ ଏବଂ ଟିଆରଏସର ସାଂସଦ ମାନେ ମିଳିତ ଭାବେ ବିରୋଧ କରିଛନ୍ତି। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗ କହିଛନ୍ତି ଯେ ଜଣେ ସାଧାରଣ ପ୍ରତିନିଧି ଭାବରେ ଏଭଳି ପ୍ରସଙ୍ଗ ଉଠାଇବା ଆମର କର୍ତ୍ତବ୍ୟ।ଭାଜପା ସରକାର ୧୪୦ କୋଟି ଲୋକଙ୍କ ପାଇଁ ସଙ୍କଟ ସୃଷ୍ଟି କରିଛନ୍ତି।ସେଥିପାଇଁ ଆମେ ବିରୋଧ କରୁଛୁ। ସମସ୍ତ ରାଜ୍ୟରେ ଏଭଳି ବିରୋଧ କରିବୁ। ଜିଏସଟି ନ ଫେରିବା ପର୍ଯ୍ୟନ୍ତ ଆମର ସଂଗ୍ରାମ ଜାରି ରଖିବୁ।