ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶର ଜବଲପୁରର ଡୁମନା ବିମାନ ବନ୍ଦରରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି । ଦିଲ୍ଲୀରୁ ଆସୁଥିବା ଏହି ବିମାନଟି ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଅନିୟନ୍ତ୍ରିତ ହୋଇଯାଇଥିଲା। ଯାହାଫଳରେ ବିମାନଟି ରନୱେ ବାହାରକୁ ଚାଲିଯାଇଥିଲା । ହେଲେ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବହୁ କଷ୍ଟରେ ବିମାନକୁ ପୁଣି ରନୱେକୁ ଫେରାଇ ଆଣିଥିଲେ ଓ ବିମାନଟି ରନୱେ ମଝିରେ ଅଟକି ଯାଇଥିଲା । ତେବେ ୫୪ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ଜବଲପୁରକୁ ଆସୁଥିବା ଏୟାର ଇଣ୍ଡିଆର ବିମାନ ଇ -୬ ଅପରାହ୍ନରେ ଜବଲପୁରର ଡୁମନା ବିମାନ ବନ୍ଦରରେ ପହଞ୍ଚିଥିଲା ।

ତେବେ ରନୱେରେ ଅବତରଣ କରିବା ସମୟରେ ବିମାନଟି ରନୱେରୁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଏହାଦ୍ୱାରା ବିମାନରେ ଥିବା ଯାତ୍ରୀମାନେ ଡରି ଯାଇଥିଲେ। ଏହା ପରେ ପାଇଲଟ ବହୁ କଷ୍ଟରେ ବିମାନକୁ ପୁଣି ରନୱେକୁ ଫେରାଇଆଣିଥିଲେ । ବିମାନବନ୍ଦରରେ ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ଲୋକଙ୍କୁ ନିରାପଦରେ ଅଣାଯାଇଥିଲା । ସେପଟେ ବିମାନଟି କିପରି ରନୱେରୁ ବାହାରକୁ ଚାଲିଯାଇଥିଲା । ସେନେଇ ତଦନ୍ତ ଆରମ୍ଭ ହୋଇଛି ।