
ଅହମଦାବାଦ: ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ଶନିବାର ଗୁଜରାଟର ଅହମଦାବାଦରେ ସାବରମତୀ ନଦୀ ଉପରେ ପାଦ ଚଲା ଯାତ୍ରୀଙ୍କ ପାଇଁ ଅଟଳ ବ୍ରିଜର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ଗତ ଦୁଇ ଦିନରୁ ଏହି ପୋଲ ନିଜ ବିଶେଷତ୍ୱକୁ ନେଇ ବେଶ ଚର୍ଚ୍ଚାରେ ରହିଛି । ଏହି ବ୍ରିଜ ନିର୍ମାଣରେ ପ୍ରାୟ ୨୬୦୦ ମେଟ୍ରିକ ଟନ ଷ୍ଟିଲ ପାଇପ ବ୍ୟବହାର କରାଯାଇଛି ।
ଆକର୍ଷଣୀୟ ଡିଜାଇନ ଏବଂ ଏଲଇଡି ଆଲୋକସଜ୍ଜାରେ ସୁସଜ୍ଜିତ ଏହି ବ୍ରିଜର ଲମ୍ୱା ପ୍ରାୟ ୩୦୦ ମିଟର ଏବଂ ୧୪ ମିଟର ଓସାରିଆ । ପାଦ ଚଲା ଯାତ୍ରୀଙ୍କ ସହ ସାଇକେଲ ଚାଳକ ମଧ୍ୟ ଏହାକୁ ବ୍ୟବହାର କରି ନଦୀ ପାର କରିପାରିବେ ।
ଅହମଦାବାଦ ନଗର ନିଗମ ଦ୍ୱାରା ଏହି ବ୍ରିଜର ନିର୍ମାଣ କରାଯାଇଛି । ୩୦୦ ମିଟର ବ୍ରିଜ ନିର୍ମାଣକୁ ୭୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ବ୍ରିଜ ନିକଟରେ କ୍ୟାଫେଟେରିଆ ଏବଂ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଲଆଇଡି ଯୋଗୁଁ ରାତିରେ ଏହି ଫୁଟ ବ୍ରିଜ୍ ବେଶ ସୁନ୍ଦର ଦେଖାଯାଉଛି । ଏହି ବ୍ରିଜକୁ ଏପରି ଡିଜାଇନ କରାଯାଇଛି ଯେ, ଏହା ଦେଖିବାକୁ ଗୁଡି ସଦୃଶ୍ୟ। ଏଥିରେ ବ୍ୟବହୃତ ପାଇପ ଗୁଡିକୁ ଏପରି ଯୋଡା ଯାଇଛି ଯେ ଭିତରରୁ ଏହା ଗୁଡି ପରି ଦେଖାଯିବ ।