ପରଲୋକରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିରବିଯାଇଛି ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ ସଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ସ୍ୱର | ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ, ଗୀତିକାର, କଣ୍ଠଶିଳ୍ପୀ ତଥା ଅଭିନେତା ସ୍ବରୂପ ନାୟକ ଆଉ ନାହାନ୍ତି। ୭୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ୮୦ରୁ ଅଧିକ ଓଡ଼ିଆ ଚଳଚିତ୍ରରେ ଗୀତ ରଚନା କରିଥିବା ସ୍ୱରୂପ ଦୀର୍ଘଦିନ ଧରି କ୍ୟାନ୍ସରରେ ପୀଡିତ ଥିଲେ | ଆଉ ଆଜି ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି |

ଓଡ଼ିଆ ଆଧୁନିକ ସଙ୍ଗୀତର ଜଗତର ଅନ୍ୟତମ ସ୍ରଷ୍ଟା ଭାବେ ବେଶ୍ ପରିଚିତ ସ୍ୱରୂପ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ | ୧୯୪୬ ମସିହା ଫେବୃଆରି ୮ ତାରିଖରେ କଟକଠାରେ ଜନ୍ମଗ୍ରହଣ କରିଥିବା ସ୍ବରୂପ ୧୯୬୨ରେ ମୁକ୍ତିପ୍ରାପ୍ତ ‘ଜୟଦେବ’ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ବଡ଼ ପରଦାରେ ଅଭିନୟ ଜୀବନ ଆରମ୍ଭ କରିଥିଲେ ସେ । ବଡ଼ ହେବା ପରେ ସ୍ୱରୂପ ‘ସତୀ ଅନସୂୟା‘, ‘ସୁନା ସଂସାର’, ‘କଳାମାଣିକ’, ‘କଣ୍ଢେଇ ଆଖିରେ ଲୁହ’ ଓ ‘ଯଶୋଦା’ ଆଦି ବେଶ୍‌ କେତୋଟି ଓଡ଼ିଆ ଛବିରେ ଅଭିନେତା ଭାବେ ଖଳନାୟକ, ହାସ୍ୟାଭିନେତା ଓ ଚରିତ୍ର ଅଭିନ‌ତା ଭାବେ ନଜର ଆସିଥିଲେ ।

ହେଲେ ସ୍ୱରୂପ ନାୟକ ଗୀତିକାର-ସଙ୍ଗୀତକାର ଭାବେ ଓଲିଉଡ଼ରେ ବିଶେଷ ସଫଳତା ହାସଲ କରିଥିଲେ । ତାଙ୍କ ସ୍ୱରାରୋପିତ ପ୍ରଥମ ଓଡ଼ିଆ ଛବି ଥିଲା ଦୁର୍ଗା ନନ୍ଦଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ହୀରାନୀଳା’ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ । ତାଙ୍କ ସଙ୍ଗୀତ ନିର୍ଦ୍ଦେଶିତ କେତେକ ଉଲ୍ଲେଖନୀୟ ଛବି ମଧ୍ୟରେ ରହିଛି- ଲାଲପାନ ବିବି, ବଗଲାବଗୁଲୀ, ଲକ୍ଷେ ଶିବ ପୂଜି ପାଇଚି ପୁଅ, ଯଶୋଦା, କୃଷ୍ଣା କାବେରୀ, କି ହେବ ଶୁଆ ପୋଷିଲେ, ସୁଭଦ୍ରା, ସକଳ ତୀର୍ଥ ତୋ’ ଚରଣେ, ଉଦଣ୍ଡୀ ସୀତା, ପଞ୍ଜୁରୀ ଭିତରେ ଶାରୀ, ମୋ’ କୋଳ ତୋ’ ଝୁଲଣା, ଏ ଯୁଗର କୃଷ୍ଣ ସୁଦାମା, ଆଇ ଲଭ ୟୁ, ଅର୍ଜୁନ, ପ୍ରେମୀ ନମ୍ବର ଓ୍ଵାନ, ଶାଶୁ ଘର ଚାଲିଯିବି, ପ୍ରେମ ଋତୁ ଆସିଲାରେ, ପ୍ରଥମ ପ୍ରେମ, ମୁଁ ତତେ ଲଭ୍‌ କରୁଚି, ରୋମିଓ ଦ ଲଭରବୟ ଏବଂ ଅପ୍‌ନା ହାତ୍‌ ଜଗନ୍ନାଥ । ସେ ସତୁରିରୁ ଅଧିକ ଓଡ଼ିଆ ଛବିରେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଅଶୀରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଗୀତର ରଚନା କରିଛନ୍ତି ।

Related Posts